ଆନନ୍ଦପୁର: ଚାଷୀଙ୍କ ମୁଣ୍ଡରେ ଚଡକ । ଗତ 7 ମାସ ଧରି ଅମଳ ଧାନ ବିକ୍ରୀ ନ ହୋଇ ପଡି ରହିଛି । ଆଗକୁ ମୌସୁମୀ ବର୍ଷା ଆସୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଚାଷୀ । ଖଳାରେ ଧାନ ପଡି ଗଜା ହେଉଥିବା ବେଳେ,ଏବେ ଅମଳ ଧାନ କିପରି ବିକ୍ରୀ ହେବ ତାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।
ମାଡି ଆସୁଛି ମୌସୁମୀ । ମୌସୁମୀ ଆସିବା ଖବର ଶୁଣି ଚାଷୀ ନାଚି ଉଠିବା ବଦଳରେ ଏଠାକାର ଦୃଶ୍ୟ କିନ୍ତୁ ଓଲଟା । ଦୁଃଖରେ ଭାଙ୍ଗି ପଡିଛନ୍ତି ଶହ ଶହ ଚାଷୀ । କାରଣ ନିଜର କଷ୍ଟ ଅର୍ଜିତ ଧାନ ଗଜା ହେବାକୁ ବସିଲାଣି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଡଅଁର ଗାଁର କଥା । ଧାନ ବିକ୍ରି ଆଶାରେ ଚାଷୀମାନେ ପ୍ରଥମେ ମଣ୍ଡିକୁ ଧାନ ନେଇଥିଲେ। କିନ୍ତୁ ସେଠାରେ ମଧ୍ୟ ଧାନ ବିକ୍ରି ହୋଇ ପାରିଲା ନାହିଁ, ଫଳରେ ଖଳାରେ ପଡି ପଡି ଧାନ ଗଜା ହେବାକୁ ବସିଲାଣି ।
ସେପଟେ ଡଅଁର ଧାନମଣ୍ଡିରେ 7ଟି ପଞ୍ଚାୟତର 1351ଜଣ ଚାଷୀଙ୍କୁ ଧାନ ବିକ୍ରୀ ପାଇଁ ପଞ୍ଜୀକୃତ କରାଯାଇଥିଲା । ଏ ଯାଏଁ ମାତ୍ର 986ଜଣ ଚାଷୀଙ୍କ ଧାନ ବିକ୍ରି ହୋଇପାରିଥିବା ବେଳେ ଅନ୍ୟଚାଷୀଙ୍କ ଧାନ ପଡି ରହିଛି । ଏନେଇ ଡଅଁର ସେବା ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଧାନ ବିକ୍ରି କରାଯାଉଛି ବୋଲି କହିଛନ୍ତି ।
ଖରା ତରାକୁ ଖାତିର ନ କରି ଚାଷ କରୁଛି ଚାଷୀ । ହେଲେ ଧାନ ବିକ୍ରି ହୋଇ ପାରୁ ନଥିବାରୁ ହତାଶ ହେଉଛନ୍ତି ଚାଷୀ । ସରକାର ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ