କେନ୍ଦୁଝର: ଘଟଗାଁ ମା ତାରିଣୀଙ୍କ ପୀଠରେ ପାରାଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ । ମାଙ୍କୁ ଦର୍ଶନ କରିବା ପାଇଁ ଆଜି କେନ୍ଦୁଝରର ଘଟଗାଁ ପୀଠରେ ପହଞ୍ଚିଛନ୍ତି ପ୍ରମୋଦ । ତେବେ ଅଲମ୍ପିକ୍ସ ଖେଳିଯିବା ପୂର୍ବରୁ ସେ ମାଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ । ଆଜି ନିଜର ଅଖଣ୍ଡ ଦୀପ ମାନସିକ ସମାପନ କରିବା ପାଇଁ ଘଟଗାଁ ମା ତାରିଣୀଙ୍କ ପୀଠରେ ପହଁଚି ମାଙ୍କୁ ଦର୍ଶନ କରିଛନ୍ତି। ଏହା ସହ ନିଜର ମାନସିକ ସମାପନ କରିବା ସହିତ ମା ତାରିଣୀଙ୍କୁ ନିଜର ସ୍ବର୍ଣ୍ଣ ପଦକ ସମର୍ପଣ କରିଛନ୍ତି । ଭଗତଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ସ୍ଥାନୀୟ ଘଟଗାଁ ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି ।
ତେବେ ପାରାଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇବା ପରେ ତାଙ୍କୁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଦମଦାର ପ୍ରଦର୍ଶନକୁ ନେଇ ବେସ ଖୁସିଥିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତ ୧୦ ତାରିଖ ଦିନ ସେ ଓଡିଶାରେ ପହଞ୍ଚିବା ପରେ ରାଜ୍ୟସରକାରଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମେ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ମୁଖ୍ୟମନ୍ତ୍ରୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ