କେନ୍ଦୁଝର: ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି ନଟବର ଜୁଆଙ୍ଗ ଓ ତାଙ୍କ ପରିବାର । ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ବାଂଶପାଳ ବ୍ଲକର କୋଡ଼ିପସା ପଞ୍ଚାୟତର ଘୁଙ୍ଗି ଗାଁରେ ରୁହନ୍ତି ନଟବର ଜୁଆଙ୍ଗଙ୍କ ପରିବାର । ବଣ ଜଙ୍ଗଲ ଭରା ପାହାଡ଼ ତଳେ ଆଦିମ ଜନଜାତି ଜୁଆଙ୍ଗ ବର୍ଗର ତିରିଶରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି ଘୁଙ୍ଗି ଗାଁରେ ।
ଏଥି ମଧ୍ୟରୁ ଜଣେ ହେଉଛନ୍ତି ନଟବର ଜୁଆଙ୍ଗଙ୍କ ନଅ ପ୍ରାଣୀ ବିଶିଷ୍ଟ ପରିବାର । ନଟବରଙ୍କ ସାତୋଟି ଝିଅ ଓ ପତ୍ନୀ କୁନ୍ଦଙ୍କୁ ନେଇ ପରିବାର । ଏହି ଝିଅଙ୍କ ମଧ୍ୟରୁ ବଡ଼ ତିନିଜଣ ସକ୍ଷମ ହୋଇଥିବା ବେଳେ ବାକି ଚାରିଜଣ ହେଉଛନ୍ତି ଦିବ୍ୟାଙ୍ଗ । ନା ଠିକରେ ଚାଲିପାରନ୍ତି ନା ଠିକରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯା ଆସ କରିପାରନ୍ତି । ସବୁ ମା ଉପରେ ନିର୍ଭର କରନ୍ତି । ନଟବର ଓ ପତ୍ନୀ ଯେନତେନ ପ୍ରକାର ସମ୍ଭାଳିନେଉଥିଲେ ପରିବାର । ହେଲେ ହଠାତ କିଛି ବର୍ଷ ତଳେ ହାତୀ ଆକ୍ରମଣର ଶିକାର ହୋଇ ଅସୁସ୍ଥ ହୋଇଗଲେ ନଟବର । ଆଉ ତା ପରେ ଘରର ବୋଝ ସ୍ତ୍ରୀ କୁନ୍ଦ ଜୁଆଙ୍ଗ ଙ୍କ ଉପରେ । ସେ ମୂଲ ମଜୁରୀ କରି ଆଣିଲେ ପରିବାର ଭରଣ ପୋଷଣ ହୋଇଥାଏ ।
ଏପଟେ ନଟବର ଦେହର କଷ୍ଟକୁ ଭୁଲି ପରିବାର ପେଟକୁ ଗଣ୍ଡାଏ ଦାନା ଯୋଗାଇବା ଆଶାରେ ପୁଣି ଜଙ୍ଗଲରୁ କାଠ ସଂଗ୍ରହ ପାଇଁ କରୁଛନ୍ତି । ଏହାକୁ ବଜାରରେ ବିକ୍ରି କରିଥାନ୍ତି । ସରକାରୀ ସହାୟତା କହିଲେ କେବଳ ଟଙ୍କାକିଆ ଚାଉଳ ହିଁ ସାହା । ଏହି ଦିବ୍ୟାଙ୍ଗ ଚାରିଜଣ ଶିଶୁଙ୍କ ପାଇଁ ବହୁବାର ପ୍ରଶାସନଙ୍କୁ ଜଣେଇ ମଧ୍ୟ କିଛି ସୁଫଳ ମିଳିନାହିଁ । ବଡ଼ ଦୁଃଖକଷ୍ଟରେ ପରିବାର ଚଳାଉଥିବା ପ୍ରକାଶ କରିଛନ୍ତି କୁନ୍ଦ ଜୁଆଙ୍ଗ । ଗ୍ରାମବାସୀ ମଧ୍ୟ ବହୁ ସମୟରେ ପରିବାରକୁ ସହଯୋଗ କରୁଥିବା ବେଳ ପ୍ରଶାସନ ନିକଟରେ ଏମାନଙ୍କ ଦୁଃଖ ପହଞ୍ଚି ପାରୁନାହିଁ । ଏନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ପଚାରିବାରୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ । ତଥାପି ନଟବରଙ୍କ ପରିବାର ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ