କେନ୍ଦୁଝର: ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁରେ ହାତୀପଲଙ୍କ ଉପଦ୍ରବ । ୧୨ ଟିକିଆ ହାତୀପଲ ଗାଁରେ ପଶି ଏକର ଏକର ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି ।
ଗତ 3 ଦିନ ହେବ ହାତୀପଲ ଶିବନାରାୟଣପୁର ଗୋଡା ଗାଁ ସମେତ ଆଖପାଖ ଗାଁ ସାନକୁମୁଣ୍ଡ, ବେତଖୋଲି ଗାଁରେ ମଧ୍ୟ ଉତ୍ପାତ ମଚାଇଛନ୍ତି । ଗୋଟିଏ ପଟେ ଚାଷୀ ଧାର କରଜ ଓ ଋଣ କରି ଚାଷ କରିଥିବା ବେଳେ ଏହି ହାତୀପଲ ଏଗୁଡିକୁ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି ।
ସେପଟେ ଏନେଇ ତେଲକୋଇ ଵନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲର ସହାୟତା ଦେବା ତ ଦୂରର କଥା ହାତୀପଲଙ୍କୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଚାଷୀ କ୍ଷତିପୂରଣ ଯୋଗାଇ ଦେଵା ପାଇଁ ଦାବି ରଖିଛନ୍ତି । ଶିବନାରାୟଣପୁର ଗାଁ ପାଖ ବିନ୍ଧାଣି ଖୋଲ ଜଙ୍ଗଲରେ ଦିନବେଳା ହାତୀପଲ ରହୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ