କେନ୍ଦୁଝର: ତେଲକୋଇ ବ୍ଲକ ଜଗମୋହନପୁର ଅଞ୍ଚଳରେ ଦନ୍ତା ଉତ୍ପାତ ଚରମ ସୀମାରେ ପହଞ୍ଚିଛି । ସରୁଆଳି ଗ୍ରାମ ନିକଟସ୍ଥ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ବାରମ୍ବାର ଦନ୍ତାହାତୀ ପଶି କ୍ଷୟକ୍ଷତି କରୁଛି । ୧୦ ଦିନ ମଧ୍ୟରେ ହାତୀ ବିଦ୍ୟାଳୟ ପରିସରରେ ୪ ଥର ପଶିଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ହାତୀଟି ସ୍କୁଲ୍ ପରିସରରେ ପଶି କଦଳୀ ଓ ନଡ଼ିଆ ଗଛ ଭାଙ୍ଗିବା ସହ ହଷ୍ଟେଲ କୋଠାର ଲୁହାକବାଟ କଣା କରିଦେଇଛି।
ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିନୋଦ ବିହାରୀ ଖୁଣ୍ଟିଆ କହିଛନ୍ତି ଯେ, ୧୧ ତାରିଖ ପରଠାରୁ ଦନ୍ତାଟି ବାରମ୍ବାର ବିଦ୍ୟାଳୟ ପରିସରକୁ ଆସୁଛି। ବିଦ୍ୟାଳୟ ବଗିଚାକୁ ଛାରଖାର କରିଛି। ୮୦ରୁ ଊର୍ଦ୍ଧ୍ବ କଦଳୀ ଗଛ ଓ ୮ଟି ନଡ଼ିଆ ଗଛ ଭାଙ୍ଗିଲାଣି । ହଷ୍ଟେଲର ପ୍ରବେଶ ପଥରେ ଲାଗିଥିବା ଲୁହା କବାଟକୁ କଣା କରିବା ସହ ବଙ୍କା କରିଦେଇଛି। ରାତ୍ର ଜଗୁଆଳି ଭୟରେ ସ୍କୁଲ୍ ଆସିବା ବନ୍ଦ କରିଦେଇଛି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ପାଳି କରି ସ୍କୁଲ୍ ଜଗୁଛନ୍ତି।
ସେହିପରି ଦୁଇଦିନ ତଳେ ଦନ୍ତାଟି ସରୁଆଳି ଗ୍ରାମର ସମ୍ବାରୀ କିଷାନଙ୍କ ଘର ଭାଙ୍ଗିବା ସହ ଚାଉଳ ଖାଇଛି । ଅଙ୍ଗଦ ଜୁଆଙ୍ଗଙ୍କ ଘରର ଝରକା ଭାଙ୍ଗି ଦେଇଛି । ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବା ବେଳେ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ହାତୀର ଗତିବିଧି ସମ୍ପର୍କରେ ଜଣାପଡ଼ୁନି। ସ୍ଥାନୀୟ ଅଞ୍ଚଳର ୨୫ ଟି ଗ୍ରାମରେ ଆତଙ୍କ ଖେଳାଇଛି ଦନ୍ତା । ବିଶେଷ କରି ଜଗମୋହନପୁର, ସରୁଆଳି, ଟୁଙ୍ଗୁରୁବାହାଳ, ସିଙ୍କୁଳାବାହାଳ, ରୁଗୁଡ଼ିହି, ଶିରିଆବାହାଳ ଓ ବିଞ୍ଝବାହାଳ ଗ୍ରାମରେ ଲୋକେ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି । ବନ ବିଭାଗ ତୁରନ୍ତ ଏହି ଦନ୍ତାହାତୀକୁ କୌଣସି ଅଭୟାରଣ୍ୟ କିମ୍ବା ଚିଡ଼ିଆଖାନାରେ ନେଇ ଛାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ