କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ ନଇଁଲେ ହାତୀପଲ ଗାଁ ମୁହାଁ ହେଉଛନ୍ତି, ଏହାଫଳରେ ଆତଙ୍କିତ ହୋଇପଡିଛନ୍ତି ଏଠାକାର ଅଞ୍ଚଳବାସୀ । ରବିବାର ରାତିରେ ହାତୀପଲ ଚମ୍ପୁଆ ରେଞ୍ଜ ବାଲିବନ୍ଧ ଓ ଚମ୍ପୁଆ ସେକ୍ସନରେ ଉପଦ୍ରବ କରିବା ପରେ ଏବେ ଏମାନେ ବସିରା ଗାଁ ନିକଟ ଜଙ୍ଗଲରେ ରହିଛନ୍ତି । ଏହି ହାତୀପଲରେ 22ଟି ହାତୀ ଥିବା ଜଣାପଡିଛି ।
ହାତୀପଲ କୋଦଗାଡ଼ିଆ, ଗିରିଧାରୀପୁର ଓ ରାମଚନ୍ଦ୍ରପୁରରେ ୭ ବଖରା ଘର ଭାଙ୍ଗି ଘରେ ଥିବା ଧାନଚାଉଳ ଖାଇଦେଇଛନ୍ତି । କୋଦଗାଡ଼ିଆର ସତ୍ୟବାନ ବେହେରା ଓ ବିନୋଦ ବାରିକଙ୍କ ଘର ଭାଙ୍ଗିଦେଇଛନ୍ତି ହାତୀ । ସେହିପରି ଗିରିଧାରୀପୁର ଓ ରାମଚନ୍ଦ୍ରପୁର ମୁଣ୍ଡା ସାହିରେ ପଶି ୫ ବଖରା ଘର ଭାଙ୍ଗି ଖାଦ୍ୟଶସ୍ୟ ଖାଇଦେଇଥିବା ଅଭିଯୋଗ ହୋଇଛି ।
ଗାଁ ମୁଣ୍ଡରେ ରହୁଥିବା ସମା ମୁଣ୍ଡା ଜୀବନ ବିକଳରେ ଘରୁବାହାରି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ହାତୀପଲଙ୍କୁ ଜଙ୍ଗଲ ପଟକୁ ଘଉଡାଇ ନେଇ ଛାଡ଼ିଥିଲେ । ତେବେ ବର୍ତ୍ତମାନ ଏହି ହାତୀପଲ ବସିରା ଗାଁ ନିକଟରେ ରହିଥିବା ବନ ବିଭାଗ ସୂଚନା ଦେଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାମାତ୍ର, ଇଟିଭି ଭାରତ