କେନ୍ଦୁଝର: ଦାବିପତ୍ର ଦେବାକୁ ଆସିବା ବେଳେ ପୋଲିସ ସହ ହାତାହାତି ହେଲେ ଛଟେଇ ଶ୍ରମିକ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋଡ଼ା ଖଣି ଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ନିଜ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ସହ ହାତାହାତି ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ତ୍ରିବେଣୀ କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରିଛି । ଯାହାର ପ୍ରତିବାଦ ସ୍ବରୂପ ଏହି ଶ୍ରମିକମାନେ କାଳିପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏହାପରେ ଶ୍ରମିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବାବେଳେ ସେମାନଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୋଲିସ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମାଜିଷ୍ଟ୍ରେଟ ସହ ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଛଟେଇ ପରେ ଶ୍ରମିକମାନେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଥିବା ବେଳେ ନିଜର ହକ ପାଇଁ ଆନ୍ଦୋଳନ କରିଥିଲେ। ଅନ୍ୟପକ୍ଷରେ କୋରୋନା କଟକଣା ଥିବାବେଳେ ଏତେ ଶ୍ରମିକ ଏକଜୁଟ ନେଇ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ