କେନ୍ଦୁଝର: ଅବସରପ୍ରାପ୍ତ ଶିକ୍ଷକଙ୍କୁ ତାଙ୍କରି କାର ସହିତ ଅପହରଣ କରିବାବେଳେ ଫେଲ୍ ମାରିଲେ ଦୁର୍ବୃତ୍ତ । ଅପହରଣବେଳେ କାର୍ ପଂଚର ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଅପହରଣକର୍ତ୍ତାମାନେ ଶିକ୍ଷକଙ୍କୁ ଅପହରଣ କରି ପାରିନଥିଲେ । ଏହାପରେ ଗ୍ରାମବାସୀ ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଥିବାବେଳେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି ।
ତେଲକୋଇ ଥାନା ଅଧୀନ କାମଳାଙ୍ଗ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ନିଜ କାର ନେଇ ଝାରସୁଗୁଡାରୁ ଫେରୁଥିଲେ । ସେ ଝାରସୁଗୁଡ଼ାରେ ତାଙ୍କ ପୁଅକୁ ଦେଖା କରି ପୁନଃ ଘରକୁ ଫେରୁଥିଲେ । ତେବେ ଦେବଗଡ଼ ଥାନା ୪୯ ନମ୍ବର ଜାତୀୟ ରାଜପଥ କଲା ଟୋଲ୍ଗେଟ ନିକଟରେ ପରିସ୍ରା କରିବା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କୁ ଡରାଇ ଧମକା ତାଙ୍କରି କାରରେ ବସାଇ ଦୁଇଜଣ ଅପହରଣ କରି ନେଇଥିଲେ । ଦୁର୍ବୃତ୍ତମାନେ ଭୁଜାଲି ଓ ପିସ୍ତଲ ଧରିଥିଲେ । ପିସ୍ତଲରେ ରବୀନ୍ଦ୍ରଙ୍କ ମୁଣ୍ଡକୁ ମାଡ଼ ଦେଇଥିଲେ । ତେବେ ପାଲଲହଡ଼ା ନିକଟରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ କାରରେ ଦ୍ରୁତଗତିରେ ଚାଲି ଯାଇଥିଲା ।
ଦୁର୍ଘଟଣାର ଶିକାର ହେବାରେ ଆହତ ବାଇକ ଆରୋହୀ ଓ କିଛି ଯୁବକ କାର ପିଛା କରିଥିଲେ । ସେହି ସମୟରେ କାର୍ର ଆଗ ଚକା ଫାଟି ଯାଇଥିଲା । ଫଟା ଟାୟାରରେ କାର ଚଳାଇ ଆଣି ତେଲକୋଇ ଥାନା ଅଧୀନ ନୂଆଡିହ ଛକ ନିକଟସ୍ଥ ଏକ ପୋଖରୀ ପାଖରେ ରଖି ଟାୟାର ବଦଳାଉଥିଲା ଦୁର୍ବୃତ୍ତ । ସେହି ସମୟରେ ବାଇକ ଆରୋହୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ । ପରେ ଦୁଇ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମାରେ ଦେଇଛନ୍ତି । କାରରୁ ଏକ ଭୁଜାଲି ଜବତ ହୋଇଛି । ପୋଲିସକୁ କାର ଭିତରୁ କୌଣସି ବନ୍ଧୁକ ମିଳିନାହିଁ । ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ରହିଛି l
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ