କେନ୍ଦୁଝର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଅନେକ ଏହାକୁ ଜୀବନର ବ୍ରତ କରି ନିଅନ୍ତି । କିଛି ଏମିତି ବ୍ୟକ୍ତିତ୍ବ ଅଛନ୍ତି ଯିଏ ଲୋକଙ୍କ ପାଇଁ ବଞ୍ଚନ୍ତି । ଲୋକଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇଥାନ୍ତି । ସ୍ଥିତି ପରିସ୍ଥିତି ସବୁର ସାମ୍ନା କରି ଲୋକଙ୍କ ସେବା କରନ୍ତି । ସେମିତି ଜଣେ ମଣିଷ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅଧୀନ ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନଏସ ମହିଳା ସ୍ବାସ୍ଥ୍ୟକର୍ମୀ ଦମୟନ୍ତୀ ରାଉତ । ତାଙ୍କ ସେବାକୁ ମିଳିଛି ଜାତୀୟ ସମ୍ମାନ । ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧ (National Florence Nightingale Nurses Award) ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି ଦମୟନ୍ତୀ ।
ସେବା ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦମୟନ୍ତ୍ରୀ ରାଉତ । ଘଷିପୁରା ବ୍ଲକର ତରିମୂଳ ଗ୍ରାମରେ ୧୯୬୮ରେ ଜନ୍ମଗ୍ରହଣ କରିଥିଲେ ଦମୟନ୍ତ୍ରୀ ରାଉତ । ଏଏନ୍ଏମ୍ ପାଠ ପଢି ପ୍ରଥମେ ଅନୁଗୋଳ ଜିଲା ଖମାରରେ ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍ଏମ୍) ଭାବେ କାମ ଆରମ୍ଭ କରିଥିଲେ । ପରେ ସେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାଶିଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ପରେ ୨୦୦୩ରେ ହରିଚନ୍ଦନପୁର ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ବଦଳି ହୋଇ ଗରିବ, ନିରକ୍ଷର ତଥା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି ।
ଦମୟନ୍ତୀ ଦୀର୍ଘ ୧୯ ବର୍ଷ ହେଲା ହରିଚନ୍ଦନପୁର ବ୍ଲକର ଦୁର୍ଗମ ଗୌଣିଘଷା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରି ଲୋକଙ୍କ ସେବା କରିଆସୁଛନ୍ତି । ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ୫୫୦୦ ଆଦିବାସୀ ଲୋକ ନିର୍ଭର କରିଥାନ୍ତି । ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଚାଲି ଚାଲି କିମ୍ବା ସାଇକେଲରେ ଯାତାୟାତ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ସେ । ବିଶେଷ କରି ଘର ଘର ବୁଲି ଗର୍ଭବତୀଙ୍କ ଅବସ୍ଥା ଓ ଶିଶୁମାନଙ୍କ ଯତ୍ନ ତଦାରଖ କରିବା ସହ ଛୋଟ ଛୋଟ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ, ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ସୁରକ୍ଷିତ ମାତୃତ୍ୱ, ପରିବାର ନିୟୋଜନ, ସ୍ବଚ୍ଛ ଭାରତ ଅଭିଯାନ ଆଦି କାର୍ଯ୍ୟକ୍ରମ ତଥା କୋରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ଆଦି କାର୍ଯ୍ୟ ସୁଚାରୁରୂପେ କରି ଆସିଛନ୍ତି।
ଏପରିକି ବର୍ଷା ଦିନରେ କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ସେ ସ୍ଥାନୀୟ ଆଶାକର୍ମୀ ତଥା ସ୍ବେଚ୍ଛାସେବୀଙ୍କ ସହାୟତାରେ ଟୀକାକରଣ ଓ ଅନ୍ୟାନ୍ୟ ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପହଞ୍ଚାଇଥାନ୍ତି । ତାଙ୍କ ସମୟରେ ୯୭ ପ୍ରତିଶତ ଟୀକାକରଣ ଏବଂ ଜଣେ ମଧ୍ୟ ଗର୍ଭବତୀ ମା’ ଓ ଶିଶୁଙ୍କର ମୃତ୍ୟୁ ନ ହେବା ପ୍ରମୁଖ ଉପଲବ୍ଧି ବୋଲି କୁହାଯାଏ । ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସେ ବହୁତ ଖୁସି । ଏହା ତାଙ୍କୁ କାମ କରିବାକୁ ଅଧିକ ଉତ୍ସାହିତ କରିବ ବୋଲି କହିଛନ୍ତି ଦମୟନ୍ତୀ । ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁୁ ଶୁଭେଚ୍ଛା ସୁଅ ଛୁଟିଛି । ତାଙ୍କ ସହକର୍ମୀମାନେ ମଧ୍ୟ ବହୁ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ତାଙ୍କ କାର୍ଯ୍ୟ ଅନେକଙ୍କ ପାଇଁ ପ୍ରେରଣା ହେବ ।
ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଦମୟନ୍ତୀ ରାଉତ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି (ନଂ.୧୧୧୬୨/୨୧।୫।୨୦୨୨)ରୁ ଏହି ସୂଚନା ମିଳିଛି । ବାସ୍ତବରେ ଦମୟନ୍ତୀଙ୍କ ଏପରି ନିସ୍ବାର୍ଥପର ସେବା ମନୋବୃତ୍ତି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
ଇଟିଭି ଭାରତ, କେନ୍ଦୁଝର