ଆନନ୍ଦପୁର: ବୟସ ମାତ୍ର 3ବର୍ଷ । ଏଯାଏଁ ସ୍କୁଲ ମାଟି ମାଡି ନାହାଁନ୍ତି । ଖେଳିବା ବୁଲିବା ବୟସରେ ସେ 4ଶହରୁ ଊର୍ଦ୍ଧ୍ବ ଦେଶ ବିଦେଶ ସମ୍ପର୍କରେ ସାଧାରଣ ଜ୍ଞାନ ନିର୍ଭୁଲ ଭାବେ ଆବୃତ୍ତି କରି ପାରୁଛନ୍ତି । ଛୋଟ ଝିଅର ଏପରି ଧୀଶକ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପରିବାର । ଆଗକୁ ଡାକ୍ତର ହୋଇ ମାଗଣାରେ ରୋଗୀ ସେବା କରିବାର ସ୍ବପ୍ନ ଦେଖିଛନ୍ତି ସ୍ମୃତିମୟୀ । ତେବେ ଚାଲନ୍ତୁ ଦେଖିବା ସ୍ମୃତିମୟୀଙ୍କ ସ୍ମୃତିଶକ୍ତିର କମାଲ୍ ।
କେନ୍ଦୁଝରର କୁନିପ୍ରତିଭା ସ୍ମୃତିମୟୀ । ଘର ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ଗାଁ । ଏମିତି ପ୍ରତିଭା ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ବିଭିନ୍ନ ଭାଷାରେ ବାପା ଶାନ୍ତନୁଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ସ୍ମୃତିମୟୀ । ସ୍କୁଲ୍ ଯାଇ ନଥିବା ସ୍ମୃତିମୟୀ, ମାତ୍ର 3ବର୍ଷ ବୟସରେ 4ଶହରୁ ଊର୍ଦ୍ଧ୍ବ ଦେଶ ବିଦେଶ ସମ୍ପର୍କିତ ସାଧାରଣ ଜ୍ଞାନର ଉତ୍ତର ନିର୍ଭୁଲ ଭାବେ କହି ପାରୁଛନ୍ତି । ନାଚଗୀତରେ ରୁଚି ରଖୁଥିବା ସ୍ମୃତିମୟୀ ଇଂରାଜୀ ଏବଂ ଓଡିଆରେ ବିଭିନ୍ନ ବହି ନିର୍ଭୁଲ ଭାବେ ପଢି ପାରୁଛନ୍ତି ।
ବାପା ଶାନ୍ତନୁ ରାଉତ ଓ ମା ସବିତା ରାଉତଙ୍କର ସ୍ମୃତିମୟୀ ହେଉଛନ୍ତି ପ୍ରଥମ ସନ୍ତାନ । ବାପା ଶାନ୍ତନୁ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ । ନିଜର ଅବଶିଷ୍ଟ ସମୟରେ ଶାନ୍ତନୁ ଝିଅକୁ ପଢାଇଥାନ୍ତି । ହେଲେ,ମାତ୍ର 3ମାସ ମଧ୍ୟରେ ସ୍ମୃତିମୟୀ ଏତେ ସବୁ ମନେରଖି ପାରୁଥିବା ଜାଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଆଗକୁ ଡାକ୍ତର ହୋଇ ମାଗଣାରେ ରୋଗୀସେବା କରିବାକୁ ଲକ୍ଷ୍ୟ ରଖିଥିବା ସ୍ମୃତିମୟୀ ଭବିଷ୍ୟତରେ ଗାଁ ତଥା ଜିଲ୍ଲାର ନାଁ ରଖିବେ ବୋଲି ଆଶା କରିଛନ୍ତି ପରିବାର ।
ଅତି କମ୍ ବୟସରେ ବୌଦ୍ଧିକ ଶକ୍ତିର ବିକାଶ ହେବା ସହ ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ ହୋଇ ପାରିଛନ୍ତି ସ୍ମୃତିମୟୀ । ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ