କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି । ଏହା ସତ୍ତ୍ବେ ଲୋକମାନେ ମେଡିକାଲରେ ଚିକିତ୍ସା ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଟଙ୍କା ବହୁ ସମୟରେ ଅପବ୍ୟୟ ହେଉଥିବା ନଜରକୁ ଆସୁଛି । ଏହିଭଳି ଟଙ୍କାର ଦୁରୁପଯୋଗର ନିଚ୍ଛକ ଉଦାହରଣ ପାଲିଟିଛି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନୂତନ ନିର୍ମିତ ମାତୃ ଓ ଶିଶୁ ବିଭାଗ ।
୮ କୋଟି ୧୨ ଲକ୍ଷ ଟଙ୍କାରେ ବ୍ୟୟ ବରାଦ ହୋଇଥିବା ଏହି ନୂତନ ବିଭାଗର ଲକ୍ଷ୍ୟ ଥିଲା ଏଠାକୁ ଆସୁଥିବା ମା ଓ ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେଇ ଚିକିତ୍ସା କରିବା । କିନ୍ତୁ ଏହି ଲକ୍ଷ୍ୟ ଏବେ ଦିଗଭ୍ରଷ୍ଟ ହୋଇଛି ।
ପ୍ରକଳ୍ପ ନିୟମ ଅନୁଯାୟୀ ଏହି ନୂତନ ଵିଲଡିଂରେ ମାତୃ ଓ ଶିଶୁଙ୍କୁ ନିରୋଗ ରଖିବା ପାଇଁ ସମସ୍ତ ୱାର୍ଡରେ ନୂତନ ଏୟାର କାଣ୍ଡିସନର( ଏସି) ଲଗାଯାଇଛି । କିନ୍ତୁ ଏସି ଗୁଡିକ ଲାଗିବା ଦିନରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଵିଲଡିଂଟି କାର୍ଯ୍ୟକ୍ଷମ ହେବାର ତିନି ବର୍ଷ ହେଲାଣି । କିନ୍ତୁ ଏହି ଏସି ଗୁଡିକ ସେହିପରି ବିନା କାର୍ଯ୍ୟରେ କାନ୍ଥରେ ଟଙ୍ଗା ହୋଇଛି ।
ତେଣୁ ଏସି ନ ଚାଲିବାରୁ ଏଠାକୁ ଆସୁଥିବା ରୋଗୀଙ୍କ ପାଇଁ ଫ୍ୟାନ ହିଁ ଭରସା ପାଲଟିଛି । ତେବେ ଏଥିରେ ମଧ୍ୟ ସମସ୍ୟା ସରିନାହିଁ । ସବୁ ୱାର୍ଡ ଗୁଡିକରେ ଲାଗିଥିବା ଫ୍ୟାନ ଗୁଡିକ ମଧ୍ୟ ଅଧାରୁ ଅଧିକ ଅଚଳ । ଏଥିପାଇଁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ଅସୁବିଧା ନେଇ ଚିକିତ୍ସାଳୟ ପ୍ରଶାସନକୁ ପଚାରିବାରୁ ସେ ଗୃହ ବିଭାଗକୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି । ସେପଟେ ଗୃହ ନିର୍ମାଣ ବିଭାଗକୁ ପଚାରିବାରୁ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଏନେଇ ନୋଟିସ ଦିଆଯାଇଛି ବୋଲି କହିଛନ୍ତି ।
ତେବେ ଏସି ଗୁଡିକ କାର୍ଯ୍ୟକ୍ଷମ କରିବା ସହ ଵିଲଡିଂର ସମ୍ପୂର୍ଣ୍ଣ କାର୍ଯ୍ୟ ନ ସାରିଲେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ