କେନ୍ଦୁଝର: ଜିଲ୍ଲାରୁ 3 ଜଣ ବାରାହା ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଏଥିସହ ସେମାନଙ୍କ ନିକଟରୁ ବନ ବିଭାଗ ବାରାହା ମାଂସ, ଶିକାରରେ ବ୍ୟବହୃତ ହୋଇଥିବା ବିଦ୍ୟୁତ ତାର ସହିତ ବିପୁଳ ପରିମାଣର କାଚ ବୋତଲ ଏବଂ କାଠ ଖୁଣ୍ଟି ଜବତ କରିଛି ।
ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲରେ ବାରାହା ଶିକାର ବୃଦ୍ଧି ପାଇବାରେ ଲାଗୁଛି । ଏହି ପରିପ୍ରେକ୍ଷୀରେ ଗତକାଲି(ଶନିବାର) ବିଳମ୍ବିତ ରାତିରେ କିଛି ବ୍ୟକ୍ତି ବିଦ୍ୟୁତ ତାର ଓ ହାତତିଆରି ବୋମା ସାହାଯ୍ୟରେ ଫାଶ ବସାଇ ବାରାହା ଶିକାର ପାଇଁ ଯୋଜନା କରୁଥିଲେ । ଏନେଇ ବନ ବିଭାଗ ଖବର ପାଇ ଜଙ୍ଗଲରେ ଚଢାଉ କରି 3 ଜଣ ବାରହା ଶିକାରୀଙ୍କୁ ଗିରଫ କରିଥିବାବେଳେ 2 ଜଣ ଫେରାର୍ ହୋଇ ଯାଇଛନ୍ତି ।
ଗିରଫ 3 ବାରାହା ଶିକାରୀ ହେଉଛନ୍ତି ଖୁଣ୍ଟାପଡା ଗାଁର ଜୀତୁ ମୁଖୀ, ଗୁଣ୍ଡୁରିଯୋଡା ଗାଁର ପପୁ ମୁଣ୍ଡା ଓ କୁଲାଡେରା ଗାଁର ବୁଦ୍ଧୁ ମୁଣ୍ଡା । ଏମାନଙ୍କ ନିକଟରୁ ବନ ବିଭାଗ ବିପୁଳ ପରିମାଣର ଶିକାର ସାମଗ୍ରୀ ଜବତ କରିଛି । ତେବେ ସ୍ଥାନୀୟ ଅଞ୍ଚଳରେ ବାରାହା ଶିକାର ବୃଦ୍ଧି ପାଉଥିବାରୁ ଶିକାରୀଙ୍କୁ ଧରିବା ପାଇଁ ଗତ ତିନି ମାସ ହେବ ବନ ବିଭାଗ ତଦନ୍ତ ଜାରି ରଖିଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ