କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଲଜ୍ଜା । ରାସ୍ତା ଉପରୁ ଟାଣି ନେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଯୁବକଙ୍କୁ କବଳରୁ ଅଳ୍ପକେ ବର୍ତ୍ତିଗଲେ ନାବାଳିକା । ଚିତ୍କାର କରିବାରୁ ନାବାଳିକାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଶନିବାର ରାତିରେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାରେ ଏପରି ଘଟଣା ଘଟିଥିବା ବେଳ ରାଜନଗର ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ଥାନା ଅଞ୍ଚଳର 17 ବର୍ଷୀୟା ନାବାଳିକା ଶନିବାର ରାତିରେ ରାଜନଗର ବଜାରରୁ ମାର୍କେଟିଂ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସାନବଡ଼ ଗୋପାଳପୁର ନିକଟସ୍ଥ ମଦ ଦୋକାନ ନିକଟରୁ ରାଜନଗର ଥାନା ଅନ୍ତର୍ଗତ ଡିଆପାରି ଗାଁର ବାପୁଜୀ ସେଠି ନାମକ ଜଣେ ଯୁବକ ସାଇକେଲରେ ନାବାଳିକାଙ୍କ ପିଛା କରିଥିଲା । ଏହାପରେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାରେ ନିଛାଟିଆ ସ୍ଥାନ ଦେଖି ବାପୁଜୀ ନାବାଳିକାଙ୍କ ଚୁଟିକୁ ଟାଣି ଦେଇଥିଲେ । ଫଳରେ ନାବାଳିକା ଜଣଙ୍କ ରାସ୍ତା ଉପରେ ପଡ଼ିଯାଇଥିଲେ । ପରେ ତାଙ୍କ ଗୋଡ଼କୁ ଧରି ଘୋଷାଡ଼ି ଘୋଷାଡ଼ି ରାସ୍ତା କଡରେ ଥିବା ଏକ ବୁଦାକୁ ନେଇଯାଇଥିଲା ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ
ଏହି ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ସେହି ରାସ୍ତାରେ ଯାଉଥିବା ପଥଚାରି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଯୁବକକୁ କାବୁ କରି ରାଜନଗର ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ନାବାଳିକା ଜଣକ ଆହତ ହୋଇଥିବା ଜଣାପଡିଛି । ଏପରିକି ପାଟି କରିବାରୁ ଯୁବକ ଜଣକ ତାଙ୍କୁ ବାରମ୍ବାର ମାଡ ମାରିଥିବା ଅଭିଯୋଗରେ ନାବାଳିକାଙ୍କ ବାପା ଦର୍ଶାଇଛନ୍ତି । ଏହି ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ପୀଡିତାଙ୍କ ପରିବାର ଲୋକେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
କଳାହାଣ୍ଡିରେ ଜଣେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି । ମୂର୍ତ୍ତି ବିସର୍ଜନ କରିବାକୁ ନଦୀକୁ ଯାଇଥିବା ବେଳେ ଏକ ଜଙ୍ଗଲକୁ ଟେକି ନେଇ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମଦନପୁର ରାମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଉଛି ୪୮ ବର୍ଷୀୟ ଉଗ୍ରସେନ ଭୋଇ ।
ଇଟିଭି ଭାରତ, କେନ୍ଦ୍ରାପଡା