କେନ୍ଦ୍ରାପଡା: କୌଣସି ମାଙ୍ଗଳକି କାର୍ଯ୍ୟ ହେଉ ଅବା ପୂଜା ପର୍ବ, ଘଣ୍ଟଘଣ୍ଟା ବାଦନରେ ପ୍ରକମ୍ପିତ ହୋଇଥାଏ ସମଗ୍ର ଅଞ୍ଚଳ । ସବୁ ଦେବାଦେବୀ ପୀଠରେ ଘଣ୍ଟଘଣ୍ଟି ସହ ଭଗବାନଙ୍କ ଆରଧାନା କରାଯାଇଥାଏ । କୁହାଯାଏ ଏହି ବାଦନରେ ଦେବାଦେବୀ ପୂଜାସ୍ଥଳକୁ ଆସିଥାନ୍ତି । ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କେନ୍ଦ୍ରାପଡାର ଗଣପର୍ବ ଲକ୍ଷ୍ମୀପୂଜାରେ ଏଭଳି ଏକ ମଣ୍ଡପ ରହିଛି ଯେଉଁଠାରେ ନା ଘଣ୍ଟା ବାଜେ ନା ପୂଜକ ଘଣ୍ଟି ବଜାନ୍ତି । କେବଳ ଶଙ୍ଖଧ୍ବନିରେ ମା' ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ଏଠାରେ ଘଣ୍ଟ ଏବଂ ଘଣ୍ଟି ବଜାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି।
କେନ୍ଦ୍ରାପଡା ସହରର ସର୍ବପ୍ରଥମ ପୁରୁଣା ବସଷ୍ଟାଣ୍ଡସ୍ଥିତ ଥାନପତି ମଣ୍ଡପରେ ମା' ଧନଦାତ୍ରୀଙ୍କ ପୂଜା କରାଯାଏ । ଏଠାରେ ୧୯୨୫ ମସିହାରୁ ମା'ଙ୍କୁ ପୂଜା କରାଯାଉଥିବା ବେଳେ ଶାନ୍ତିକାମୀ ଦେବୀ ମା'ଲକ୍ଷ୍ମୀଙ୍କ ପାଖରେ ଘଣ୍ଟ ବଜାଇବା ମନା । ମା'ଙ୍କ ପାଖରେ ଘଣ୍ଟ ବଜାଇବା ନିଷେଧ ଥିବାବେଳେ କେବଳ ଶଙ୍ଖଧ୍ବନିରେ ପୂଜା ପାଇଥାନ୍ତି ପଦ୍ମାଳୟା ।
ଉନ୍ନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ସହରର କିଛି ଯୁବକ ପୁରୀ ଯାଇ ସେଠାରେ ମା'ଗଜଲକ୍ଷ୍ମୀଙ୍କ ପୂଜା ଦେଖି ଫେରିବା ପରେ କେନ୍ଦ୍ରାପଡ଼ା ସହରର ସେବେକାର ବସଷ୍ଟାଣ୍ଡ(ବର୍ତ୍ତମାନ ପୁରୁଣା ବସଷ୍ଟାଣ୍ଡ)ରେ ପ୍ରଥମେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ । ପୂଜା ସମୟରେ ମା'ଙ୍କ ନିକଟରେ ଘଣ୍ଟ ବାଜିବା ବାରଣ ଥିବାରୁ ପୂଜକଙ୍କୁ ଘଣ୍ଟି ବଜାଇବା ପାଇଁ ଆୟୋଜକମାନେ ବାରଣ କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଥାନପତି ମା'ଲକ୍ଷ୍ମୀଙ୍କ ନିକଟରେ କେବେ ଘଣ୍ଟ କିମ୍ବା ଘଣ୍ଟି ବାଜିବା କେହି ଦେଖିନାହାନ୍ତି କିମ୍ବା ଶୁଣିନାହାନ୍ତି । କେବଳ ଶଙ୍ଖ, ତୁରୀ, ମହୁରୀ ବାଦ୍ୟରେ ମା'ଙ୍କୁ ଆବାହନ, ବିସର୍ଜନ ଓ ଦୈନିକ ଚାରିଥର ଧୂପ ଦିଆଯାଇଥାଏ ।
ମା'ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏଠାରେ ସର୍ବପ୍ରଥମ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥିବା ବେଳେ କୋଭିଡ କଟକଣା ଏବେ ପୂଜାକୁ ଫିକା ପକାଇଛି । ଭିନ୍ନ ପରମ୍ପରାରେ ପୂଜା ପାଇ ଆସୁଥିବା ଥାନପତି ମା'ଗଜଲକ୍ଷ୍ମୀଙ୍କର ବହୁ ଆଶିଷ ଥିବା ବେଳେ କୋଭିଡ କଟକଣାରୁ ମୁକ୍ତ ହୋଇ ଭକ୍ତ କେବେ ମା'ଙ୍କୁ ଆଖି ପୁରାଇ ଦର୍ଶନ କରିବେ ସେହି ଦିନକୁ ଅପେକ୍ଷା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ