କେନ୍ଦ୍ରାପଡା: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ, ତନ୍ମଧ୍ୟରୁ ଅନ୍ୟତମ ରଜ । ଓଡ଼ିଶାର ଗଣପର୍ବ । ଆସନ୍ତାକାଲି ରାଜ ପାଳିବେ କୁଆଁରୀ । ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବାଉଁଶ ଦୋଳି ବନ୍ଧା ସରିଲାଣି । କୁଆଁରୀମାନେ ପରସ୍ପରକୁ ମେହେନ୍ଦୀ ଲଗାଇ ଦୋଳି ଖେଳିବାକୁ ପ୍ରସ୍ତୁତ ହେଲେଣି । ରାତି ପାହିଲେ ମୁଣ୍ଡରେ ଚନ୍ଦନ, କୁଙ୍କୁମ ଟିପା, ହାତରେ ମେହେନ୍ଦୀ ଓ ପାଦରେ ଅଳତା ନାଇ ସଜେଇ ହେବେ କୁଆଁରୀ । ଖିଲି ପାନ ଖାଇ ରଜ ଦୋଳି ଖେଳିବେ । ପାନର ଲାଲିମାରେ ରକ୍ତିମ ହେବ କୁଆଁରୀ ଓଠ । ଗାଁ ଗଣ୍ଡାରୁ ଭାସି ଆସିବ ରଜ ଗୀତ ବନସ୍ତେ ଡାକିଲା ଗଜ...
ରଜର ଆଦ୍ୟପର୍ବ ସଜବାଜ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲାର ଗାଁଠୁ ସହର ଚଳଚଞ୍ଚଳ ହୋଇପଡିଛି । ଆଜିଠୁ ଅନେକ ସ୍ଥାନରେ ରଜଗୀତ ଶୁଣିବାକୁ ମିଳିଲାଣି । ରଜ ପାଳନକୁ ନେଇ କେନ୍ଦ୍ରାପଡ଼ା ସହରର ସର୍ବ ପୁରାତନ ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନରେ ସଙ୍ଗୀତ, ନୃତ୍ୟ ଶିକ୍ଷା କରୁଥିବା ଛାତ୍ରୀମାନଙ୍କ ମନରେ ଅପୂର୍ବ ଉତ୍କଣ୍ଠା ଭରି ରହିଛି । ସହରର ଏହି ପୁରାତନ ସଂସ୍ଥାରେ କୁଆଁରୀମାନେ ଏକାଠି ହୋଇ ପରସ୍ପରକୁ ମେହେନ୍ଦୀ, କୁଙ୍କୁମ, ନେଲପାଲିସ ଲଗାଇ ସଜବାଜ ଆରମ୍ଭ କରିଛନ୍ତି । ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ ଗୀତରେ ନାଚି ଗାଇ ରଜକୁ ସ୍ବାଗତ କରୁଛନ୍ତି । ଏହି ତରୁଣୀମାନେ କହିଛନ୍ତି, ବର୍ଷ ସାରା ସେମାନେ ରଜ ପର୍ବକୁ ଚାତକ ଭଳି ଚାହିଁ ରହିଥାନ୍ତି । କାଲି ରଜ ଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି ।
ଓଡ଼ିଶାର କୃଷିଭିତ୍ତିକ ପର୍ବ ରଜ । ମୁଖ୍ୟତଃ ୩ ଦିନ ଧରି ରଜ ପାଳନ କରାଯାଏ । ଏହି ୩ ଦିନ ଚଷା ପୁଅ ଚାଷ କାର୍ଯ୍ୟ ବନ୍ଦ କରିଥାନ୍ତି । ଧରଣୀ ମାଆ ବିଶ୍ରାମ ନେଇଥାନ୍ତି । ବସୁମାତା ରଜସ୍ବଳା ହେଉଥିବାରୁ ରଜ ପର୍ବର ତିନି ଦିନ ଯାଏଁ ଘରର ମହିଳାମାନେ କୌଣସି କାମ କରିନଥାନ୍ତି । ବର୍ଷ ସାରା ରଜକୁ ଚାତକ ଭଳି ଅନାଇ ରହିଥାନ୍ତି କୁଆଁରୀମାନେ । ରଜ ପର୍ବରେ ବାହାରେ ରହି ପାଠ ପଢ଼ୁଥିବା ଅବା ଚାକିରି କରିଥିବା କୁଆଁରୀ ଝିଅମାନେ ଘରକୁ ଆସିଥାନ୍ତି । ଘରେଘରେ ପିଠାପଣା ମହକେ । ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ଝିଅମାନେ ଦୋଳି, ପୁଚି, ଲୁଡୁ ଇତ୍ୟାଦି ଖେଳିଥାନ୍ତି । କେବଳ ଝିଅ ନୁହଁନ୍ତି ପୁଅମାନେ ବି ପାଳନ କରିଥାନ୍ତି ଏହି ପର୍ବ । ଗାଁ ଦାଣ୍ଡରେ ଜମେ ତାସ୍ ଖେଳ । ତାସ୍ ଓ କବାଡି ଖେଳି ଏହି ପର୍ବକୁ ଆହୁରି ଉତ୍ସବ ମୁଖର କରିଥାଏ । ଆଜି ସଜବାଜ ଥିବାରୁ ସବୁ ବଜାର ଘାଟ ଚଳଚଞ୍ଚଳ ରହିଛି । ଝିଅମାନେ ବଜାରରେ ନୂଆ ଡ୍ରେସ, ମେହେନ୍ଦୀ, କୁଙ୍କୁମ ଭଳି ନାନା ପ୍ରସାଧନ ସାମଗ୍ରୀ କିଣାକିଣି କରୁଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା