କେନ୍ଦ୍ରାପଡା: ଚୋରା ମଦ ପାଇଁ ଭାଙ୍ଗୁଛି ଘର, ଲୋଟୁଛି ପରିବାର । ଏଭଳି ଅଭିଯୋଗ ଆଣି ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡମେମ୍ବରଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ । ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ନିଗିନୀପୁର ଭେଡିସାହିରେ ୫ରୁ ଊର୍ଦ୍ଧ୍ବ ପରିବାର ଚୋରାମଦ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି ।
ଫଳରେ ଗାଁର ଯୁବକ ଛାତ୍ର ଓ ଅଧିକାଂଶ ପୁରୁଷ ନିଶା ସେବନ କରି ପାରିବାରିକ ଅତ୍ୟାଚାର, ଘରୋଇ ହିଂସା, ଚୋରି, ରାହଜାନୀ ଭଳି ଘଟଣା ଘଟାଉଛନ୍ତି । ଏନେଇ ବାରମ୍ବାର ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଯିବା ସାର ହୋଇଛି ।ଏହି ଗାଁର ସମସ୍ତ ପରିବାର ଦିନ ମଜୁରିଆ ହୋଇ ଥିବାବେଳେ ଦୈନିକ କାମର ସମସ୍ତ ପଇସା ଏହି ଚୋରାମଦ ବ୍ୟବସାୟୀଙ୍କ ପଛରେ ଯାଉଥିବା ଅଭିଯୋଗ କରିଛନ୍ତି ।
ଚୋରାମଦ ବ୍ୟବସାୟ ନେଇ ସ୍ଥାନୀୟ ୱାର୍ଡମେମ୍ବରଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି(ଶୁକ୍ରବାର) ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଚୋରାମଦ କାରବାର ଗାଁରେ ବନ୍ଦନହୁଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ