କେନ୍ଦ୍ରାପଡା: ଚାଲିଛି ଆଣ ଜନ୍ତା। ପୁର ତିଆରି ହେବ ଆଉ ମଣ୍ଡା ପିଠାକୁ ମା ଚଣ୍ଡୀଙ୍କ ନିକଟରେ ଭୋଗ ଲାଗିହେବ। ଏଭଳି ଏକ ପରମ୍ପରା ଓ ମା'ଙ୍କ ପ୍ରତି ମନରେ ପ୍ରଗାଢ଼ ବିଶ୍ୱାସ ନେଇ ପିଠା ତିଆରିରେ ଲାଗିପଡିଛନ୍ତି ଶହଶହ ମହିଳା। ଏହି ଦୃଶ୍ୟଟି ହେଉଛି କେନ୍ଦ୍ରାପଡ଼ା ଇନ୍ଦୁପୁରର ଆରାଧ୍ୟା ଦେବୀ ମା' ଚଣ୍ଡୀଙ୍କ ପୀଠର । ବୈଶାଖ ମାସ ସଂକ୍ରାନ୍ତି ଠାରୁ ଜ୍ୟେଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ଗୁରୁବାରରେ ଏହି ବ୍ରତ ପାଳନ କରାଯାଏ। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଚଣ୍ଡୀଙ୍କ ନିକଟରେ ଲୋକେ ମାନସିକ ରଖି ଏହି ଓଷାକୁ ପାଳନ କରିଥାନ୍ତି।
ଏହି ବିଶ୍ବାସ ଓ ଭକ୍ତିକୁ ପ୍ରଗାଢ ରଖି ମହାବାତ୍ୟା ଫୋନିରେ ପ୍ରଭାବିତ ଲୋକଙ୍କୁ ସହାୟ ହୋଇ ସେମାନଙ୍କୁ ଏଭଳି ଦୁଃଖ ସମୟରେ ମା ଘଣ୍ଟ ଘୋଡାଇ ରଖିବା ପାଇଁ କେନ୍ଦ୍ରାପଡ଼ା ଇନ୍ଦୁପୁରର ଆରାଧ୍ୟା ମା'ଚଣ୍ଡୀ ଦେବୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା।
ଅନୁଷ୍ଠିତ ଶେଷ ଓଷାରେ ମାନସିକ କରିଛନ୍ତି ସମଗ୍ର ମାନସିକଧାରୀ । ବାତ୍ୟା ବା ପ୍ରାକୃତିକ ଦୁର୍ବିପାକ ହେଲେ କେତେ ଯେ କଷ୍ଟ ହୋଇଥାଏ ତାହା ଅଙ୍ଗେ ଲିଭାଇଥିବା ଜଣେ ମାନସିକଧାରୀ ପ୍ରକାଶ କରିଛନ୍ତି। ଏହି ମନ୍ଦିରର ଅନ୍ୟଏକ ବୈଶିଷ୍ଟ୍ୟ ମା'ଚଣ୍ଡୀଦେବୀଙ୍କ ନିକଟରେ କୌଣସି ବ୍ରାହ୍ମଣ ପୂଜା ନକରି ମା'ଙ୍କୁ ମାଳି ସମ୍ପ୍ରଦାୟର ଲୋକେ ପୂଜା କରିଥାନ୍ତି। ମାଆଙ୍କ ନିକଟରେ ମାନସିକ କଲେ ନିଃସନ୍ତାନ, ସନ୍ତାନ ପ୍ରାପ୍ତି କରୁଥିବା ଲୋକଙ୍କ ବିଶ୍ୱାସ ରହିଛି।
କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ଦୀର୍ଘବର୍ଷ ତଳେ ଇନ୍ଦୁପୁର ଅଞ୍ଚଳରେ ହଇଜା ବ୍ୟାଧି ବ୍ୟାପିଥିଲା। ହଇଜା ରୋଗରେ ପୀଡିତ ହେବା ଫଳରେ ଅଞ୍ଚଳର ଶତାଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ରୋଗ ବ୍ୟାପିବା ପରେ ଗ୍ରାମର ଅଧିଷ୍ଠାତ୍ରୀ ମା' ଚଣ୍ଡୀଦେବୀଙ୍କ ନିକଟରେ ଲୋକ ମାନସିକ କରିଥିଲେ।
ଏହାପରେ କ୍ୟାତ୍ୟାୟନୀ ଓ ଅନ୍ୟାନ୍ୟ ଦେବୀସମୂହ ମା'ଚଣ୍ଡୀଦେବୀଙ୍କୁ ତାଙ୍କ ଅଞ୍ଚଳରୁ ହଜାର "ଭେଣ୍ଡା"ଙ୍କ ମୁଣ୍ଡ ନେବାପାଇଁ ଅର୍ଥାତ ହଇଜା ରୋଗରେ ମୃତ୍ୟୁବରଣ କରିବେ ବୋଲି କହିଥିଲେ। ଏହାଶୁଣି ମା ଚଣ୍ଡୀଦେବୀ ହଜାର ଭେଣ୍ଡା ବଦଳରେ ହଜାର ମଣ୍ଡାପିଠା ଦେଇ ସନ୍ତୁଷ୍ଟ କରାଇବା ପାଇଁ କହିଥିଲେ।
ଏହାପରେ ହଇଜା ନାମକ ରୋଗବ୍ୟାଧି (ଦେବୀଗଣ) ଗାଁରୁ ଦୁରେଇ ଯାଇଥିବା କିମ୍ବଦନ୍ତୀ କୁହେ। ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଏହି ଚଣ୍ଡୀ ପୀଠରେ ବୈଶାଖ ମାସ ସଂକ୍ରାନ୍ତି ଠାରୁ ଜ୍ୟୋଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ଗୁରୁବାର ଏହି ଓଷା ପାଳନ କରାଯାଏ।
ମହିଳା ମାନେ ନୂଆ ମାଟି ହାଣ୍ଡି ପାତ୍ରରେ ସିନ୍ଦୁର ଲଗାଇ, ଫୁଲମାଳ ଦେଇ ଓ ହୁଳହୁଳି ପକାଇ ମଣ୍ଡା ପିଠା ତିଆରି କରି ମା'ଙ୍କ ନିକଟରେ ପ୍ରଥମେ ଭୋଗ ଲାଗି କରନ୍ତି। ଏହାପରେ ପିଠା ତିଆରି କରିବାକୁ ବ୍ୟବହୃତ ହାଣ୍ଡିକୁ ଭାଙ୍ଗି ଥାଆନ୍ତି ତେଣୁ ଏହି ଓଷାକୁ ଡାକମଣ୍ଡା ଓଷା ବା ହାଣ୍ଡିଭଙ୍ଗା ଓଷା ମଧ୍ୟ କହିଥାନ୍ତି।
କଥାରେ ଅଛି,"ମାନିଲେ ଠାକୁର, ନମାନିଲେ ପଥର" । ତେବେ ମା'ଚଣ୍ଡୀଦେବୀଙ୍କ ପ୍ରତି ମାନସିକଧାରୀ ଓ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ଓ ଭକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା ସମଗ୍ର ଅଞ୍ଚଳରେ ଏକ ଦୈବୀ ପରିବେଶ ସୃଷ୍ଟି କରିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ