କେନ୍ଦ୍ରାପଡା: ରାଜନଗର ବ୍ଲକ ରଙ୍ଗଣୀରେ ଗର୍ଭବତୀଙ୍କୁ ଷ୍ଟେଚରରେ ପକାଇ ଆଣ୍ଠୁଏ କାଦୁଅରେ ପସି ନିଜ କାନ୍ଧରେ ୨୦୦ ମିଟର ବୋହିଲେ ବୋଟ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଦିବ୍ୟସୁନ୍ଦର ଜେନା । କେରୁଆପାଳ ଗାଁର ସୁଭଦ୍ରା ଜେନାଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କ ପରିବାର ପକ୍ଷରୁ ପ୍ରଥମେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା ।
ହେଲେ ସ୍ଥଳପଥରେ ରଙ୍ଗଣୀକୁ ସଂଯୋଗ କରୁଥିବା ରାସ୍ତା ନଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ଖରାପ ଥିବାରୁ ୧୦୨ ସୁଭଦ୍ରାଙ୍କ ଘରେ ପହଞ୍ଚି ପାରିନଥିଲା । ପରେ ଗୁପ୍ତି ଠାରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସକୁ ଏହି କେସ ଦିଆଯାଇଥିଲା । ଫୋନ ପାଇବା ମାତ୍ରେ କାଳବିଳମ୍ବ ନକରି ରଙ୍ଗଣୀ ପଞ୍ଚାୟତର କୋଠିଘାଟ ଯେଠୀରେ ପହଁଞ୍ଚିଥିଲା ବୋଟ ଆମ୍ବୁଲାନ୍ସ ।
ହେଲେ ନଦୀରେ ପାଣି ଛାଡିଯାଇଥିବାରୁ ଆଣ୍ଠୁଏ କାଦୁଅରେ ପସି ୨୦୦ ମିଟର ବାଟ ଗର୍ଭବତୀଙ୍କୁ ଷ୍ଟେଚରେ ପକାଇ ନିଜ କାନ୍ଧରେ କାନ୍ଧେଇ ଆଣି ବୋଟ ଆମ୍ବୁଲାନ୍ସରେ ପହଁଞ୍ଚି ଥିଲେ ଫାର୍ମାସିଷ୍ଟ । ବୋଟ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ଗୁପ୍ତି ଠାରେ ପହଁଞ୍ଚିବା ପରେ ୧୦୮ କାର ଆମ୍ବୁଲାନ୍ସ ଯୋଗେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଫାର୍ମାସିଷ୍ଟଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ