କେନ୍ଦ୍ରାପଡା: ଗତକାଲି(ଶୁକ୍ରବାର) ସରିଛି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମତଦାନ ସମୟରେ ଅନେକ ସ୍ଥାନରେ ବ୍ୟାପକ ହିିଂସା ଓ ଉତ୍ତେଜନା ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ଭୋଟବାକ୍ସ ନେଇ ଷ୍ଟ୍ରଙ୍ଗରୁମ ନିକଟକୁ ଯାଉଥିବା ବେଳେ ଗ୍ରାମରକ୍ଷୀଙ୍କୁ ଘେରିଛନ୍ତି ଲୋକେ । ଏପରିକି ପାଟିତୁଣ୍ଡ କରିବା ସହ ଲୋକେ ରାସ୍ତା ଉପରେ ଧାରଣା ଦେଇଥିବାର ଦେଖାଯାଇଛି ।
ଯାହା ସୂଚନା ରହିଛି, ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ଅନ୍ତର୍ଗତ ଅଙ୍ଗୁଳାଇ ହାଇସ୍କୁଲରେ ୭ ନଂ ଓ ୮ ନଂ ୱାର୍ଡରେ ଶାନ୍ତି ଶାନ୍ତିଶୃଙ୍ଖଳା ସହିତ ଭୋଟିଂ ହୋଇଥିଲା । ମତଦାନ ପ୍ରକ୍ରିୟା ଶେଷ ହେବା ପରେ ପୋଲିଂ ପାର୍ଟିର ସଦସ୍ଯମାନେ ଭୋଟବାକ୍ସକୁ ଯେଉଁ ବସରେ ଷ୍ଟ୍ରଙ୍ଗରୁମ ନିକଟକୁ ନେବାକଥା ସେହି ବସଟି ସେମାନଙ୍କୁ ନନେଇ ଛାଡି ଚାଲିଯାଇଥିଲା । ଫଳରେ ଭୋଟବାକ୍ସକୁ ଧରି ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଗ୍ରାମରକ୍ଷୀ ଅଙ୍ଗୁଳାଇ ଛକ ରାସ୍ତା କଡରେ ଛିଡା ହୋଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ ଓ ରାସ୍ତା ଉପରେ ଧାରଣା ଦେଇଥିଲେ । ଯାହାଫଳରେ କିଛି ସମୟ ପାଇଁ ଅଙ୍ଗୁଳାଇ ଛକରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ମାର୍ଶାଘାଈ ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ଏବଂ ପୋଲିସ ଗାଡିରେ ଭୋଟବାକ୍ସଗୁଡିକୁ ମାର୍ଶାଘାଈ କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମକୁ ନେଇଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ