କେନ୍ଦ୍ରାପଡା: ବାଉଁଶ ବାଡିରୁ ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ରାପଡା ଡେରାବିଶ୍ ଥାନା ମିରଜାଇପାଟଣା(ଛଞ୍ଚିଣା) ଗାଁର ୩୫ ବର୍ଷୀୟ ଯୁବକ ମହେନ୍ଦ୍ର ଦାସଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବାର ଅଭଯୋଗ ହୋଇଛି ।
ଗତକାଲି ରାତିରେ ମହେନ୍ଦ୍ର ଘରେ ଖାଇସାରିବା ପରେ ସ୍ଥାନୀୟ ବଜାରକୁ ଯାଉଛନ୍ତି ବୋଲି ଘରେ କହି ବାହାରକୁ ଯାଇଥିଲେ । ତେବେ ରାତିରେ ନଫେରିବା ଓ ସକାଳୁ ଘର ଠାରୁ କିଛି ଦୂରରେ ମୃତଦେହ ମିଳିବା ଘଟଣାଟି ରହସ୍ୟାବୃତ କରିଛି । ମୃତ ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଯୁବକ ଜଣକୁ ପ୍ରାୟ ୩୦୦ ମିଟର ବାହାରୁ ଗାମୁଛାରେ ବାନ୍ଧି ଟାଣିଟାଣି ଆଣି ଏକ ବାଉଁଶ ବାଡ଼ିରେ ବାନ୍ଧିଦିଆ ଯାଇଥିବାର ଅନୁମାନ କରାଯାଉଛି ।
ଡେରାବିଶ୍ ଥାନାରେ ଏତଲା ହେବା ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି । ଅନ୍ୟପଟେ ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଘଟଣାର ତଦନ୍ତ ଜାରି ରହିଛି ଓ ତଦନ୍ତ ଶେଷହେଲେ ସମ୍ପୂର୍ଣ୍ଣ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ