କେନ୍ଦ୍ରାପଡ଼ା: ଅଦମ୍ୟ ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ମହିଳାଙ୍କ ପାଇଁ କଷ୍ଟ ନୁହେଁ । ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଜଣେ ମହିଳା ମାଛ ଯାଆଁଳ ଉତ୍ପାଦନକାରୀ ଚାଷୀ । ପ୍ରଥମେ ସ୍ବଳ୍ପ ଟଙ୍କା ବ୍ୟୟ କରି ମାଛ ଯାଆଁଳ ଉତ୍ପାଦନ ଆରମ୍ଭ କରିଥିବା ମହିଳା ଆଜି ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଭଳିକି ଭଳି ମାଛ ଯାଆଁଳ ରୋହି, ଭାକୁର, ଗ୍ରାସକପ, ସିଲଭର କପ, ମିରିକାଳୀ, ଅମୁର କପ ଆଦି ଯାଆଁଳ ଉତ୍ପାଦନ କରାଯାଉଛି । ପ୍ରାୟ ୫ ଏକର ପରିମିତ ଜମିରେ ଥିବା ୮ଟି ପୋଖରୀରେ ଏହି ଯାଆଁଳକୁ ବ୍ରିଡ଼ିଂ କରାଯାଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ପଠାଯାଉଛି । ଆଉ ଏଭଳି ଏକ ଚାଷର ପରିକଳ୍ପନା କରି ଏହାକୁ ବାସ୍ତବିକତା ରୁପ ଦେଇଥିବା ବ୍ୟକ୍ତିତ୍ବ ହେଉଛନ୍ତି ଜଣେ ମହିଳା । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଗବାନପୁର ଗାଁର ଝୁନା ପରିଡା ନାମକ ମହିଳା ଜଣଙ୍କ ନିଜ ସ୍ବାମୀଙ୍କଠାରୁ ପ୍ରେରଣା ପାଇ ଗତ ୨୦୦୭ ମସିହାରୁ ଆରମ୍ଭ କରିଛନ୍ତି ମାଛ ଯାଆଁଳ ଉତ୍ପାଦନ । ବର୍ଷକୁ ପ୍ରାୟ 5 କୋଟି ମାଛ ଯାଆଁଳ ଏହି ପୋଖରୀ ଗୁଡିକରୁ ଉତ୍ପାଦନ କରି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଆଦି ଜିଲ୍ଲାକୁ ରପ୍ତାନି କରିଥାଏ ଝୁନାଙ୍କର ଏହି ମା'ବୁଢ଼ୀ ଜାଗୁଳାଇ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର । ଏଥିସହ ରାଜ୍ୟ ବାହାରକୁ ମଧ୍ୟ ଝୁନାଙ୍କର ଏହି ମାଛ ଯାଆଁଳ ରପ୍ତାନୀ କରାଯାଇଥାଏ ।
CIFA(Central Institute of Freshwater Aquaculture) ସହାୟତାରେ ଏହି ମାଛ ଯାଆଁଳ ଉତ୍ପାଦନ ଆରମ୍ଭ କରିଥିବା ଝୁନା ପରବର୍ତ୍ତୀ ସମୟରେ ଜିଲ୍ଲାରେ ଥିବା ଛୋଟବଡ଼ ମାଛ ଚାଷୀଙ୍କୁ ମାଛଚାଷ ପାଇଁ ତାଲିମ ପ୍ରଦାନ କରିଥାନ୍ତି । ମାଛ ମାନଙ୍କର ବ୍ରିଡ଼ିଂ, ଖାଦ୍ୟ ଦେବା ପ୍ରଣାଳୀ ସହ ମାଛ ଗୁଡିକୁ ଇଂଜେକସନ ଦେବାପାଇଁ ତାଲିମ ମଧ୍ୟ ପ୍ରଦାନ କରାଯାଇଥାଏ ମାଛ ଚାଷୀଙ୍କୁ । ଦୈନିକ ୨୫-୫୦ଜଣ ଲୋକଙ୍କୁ ଏହି ଉତ୍ପାଦନ କେନ୍ଦ୍ର କାମ ଯୋଗାଉଥିବା ବେଳେ ଏହି କେନ୍ଦ୍ର ଉପରେ ୩୦୦-୪୦୦ ଜଣ ଲୋକ ନିର୍ଭର କରିଥାନ୍ତି । ଏତେସବୁ ପରେ ମଧ୍ୟ ସରକାରୀ ପ୍ରୋତ୍ସାହନ ଝୁନାଙ୍କ ପାଖରେ ପହଞ୍ଚି ନଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଝୁନା ଆହୁରି ଅଧିକ ମାଛ ଯାଆଁଳ ଉତ୍ପାଦନ କରିବା ଲକ୍ଷ୍ୟ ରଖିଥିବାରୁ ସରକାରୀ ଭାବେ କିଛି ଋଣ ଆଶା ରଖିଛନ୍ତି ।
କୋଭିଡ-19 ଜନିତ ଲକଡାଉନ ହେବା ଫଳରେ ପ୍ରାୟ ୨ କୋଟି ମାଛ ଯାଆଁଳ ଉତ୍ପାଦିତ ହୋଇଥିଲେ ମଧ୍ୟ ଏହା ବିକ୍ରି ହୋଇ ପାରିନଥିବାରୁ ଏବେ କେବଳ ମାଛ ଗୁଡିକୁ ଖାଦ୍ୟ ଦେଇ ରଖିବା ସାର ହେଉଛି । ସେପଟେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଏବଂ ଲକଡାଉନ ଥିବା ହେତୁ ଏହାକୁ କିପରି ବିକ୍ରି କରାଯିବ ସେନେଇ ଚିନ୍ତାରେ ପଡିଛନ୍ତି ଝୁନା ଓ ତାଙ୍କ ସହଯୋଗୀ । ପ୍ରଥମ ପର୍ଯ୍ୟାୟ ଲକଡାଉନର କିଛିଦିନ ପରେ ମାଛ ଚାଷକୁ ଲକଡାଉନ ମୁକ୍ତ କରାଯାଇଥିଲେ ମଧ୍ୟ ଜିଲ୍ଲା ବାହାରର ବେପାରୀମାନଙ୍କୁ ପାସ ନମିଳିବା କାରଣରୁ ସେମାନେ ଉତ୍ପାଦିତ ଯାଆଁଳ ନେବାପାଇଁ ଅସମର୍ଥ ହୋଇଛନ୍ତି । ଯେଉଁଥିପାଇଁ କି ବେପାରରେ କ୍ଷତି ହେଉଥିବା କହିଛନ୍ତି ପରିଚାଳିକା ତଥା ଝୁନାଙ୍କ ଉଚ୍ଚ ଶିକ୍ଷିତା ଝିଅ । ମାଛ ଯାଆଁଳ ଉତ୍ପାଦନ ପାଇଁ ମାଛର ସ୍ପର୍ମକୁ ପୋଖରୀରେ 5ଦିନ ପର୍ଯ୍ୟନ୍ତ ଛଡାଯାଇ ଏହାପରେ ବ୍ରିଡ଼ିଂ କରାଯାଏ ବୋଲି କହିଛନ୍ତି ଲାଲିମା । ଜିଲ୍ଲା ବାହାରର ବ୍ୟବସାୟୀମାନଙ୍କୁ ଇ-ପାସ ଯୋଗାଇ ଦିଆଗଲେ ହୁଏତ କ୍ଷତିର ପରିମାଣ କମି ପାରନ୍ତା ବୋଲି ଆଶା ରଖିଛନ୍ତି ଉଭୟ ଝୁନା ଓ ଲାଲିମା । ଅନ୍ୟପକ୍ଷରେ ଏହି ଏକମାତ୍ର ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଜିଲ୍ଲାର ଗର୍ବ ଏବଂ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବେ ଏହି କେନ୍ଦ୍ରକୁ ସହଯୋଗ କରିଛନ୍ତି ।
ଗତ ୨୦୧୦ ମସିହାରେ NFDB ନେଟୱାର୍କ ମାଧ୍ୟମରେ ସେମାନଙ୍କୁ ମାଛ ଉତ୍ପାଦନ କରୁଥିବା କେନ୍ଦ୍ରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ରାଜ୍ୟ ସରକାର ଛୋଟ ମାଛ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ଏହି କେନ୍ଦ୍ରର ନିର୍ଦ୍ଦେଶିକା କେବେ ହେଲେ ସହଯୋଗ ପାଇଁ ଆପ୍ଲାଏ କରିନାହାନ୍ତି । କିନ୍ତୁ ବର୍ତ୍ତମାନ "ମତ୍ସ୍ୟ ପୋଖରୀ"ଯୋଜନାରେ ଏହି ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ହେକ୍ଟର ପିଛା 2,50,000 ଟଙ୍କା ଋଣ ଦିଆଯିବା । ଯେଉଁଥିରେ କି 50%ଛାଡ଼ ଯୋଜନା ରହିଛି ସେହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀଣି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କେନ୍ଦ୍ରରେ ମାଗଣାରେ ଜାଲ ଯୋଗାଇ ଦିଆଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି ଅଧିକାରିଣୀ । ଜିଲ୍ଲାରେ ବର୍ତ୍ତମାନ 13-14ହଜାର ପର୍ଯ୍ୟନ୍ତ ମାଛ ଚାଷୀ ଥିବା ବେଳେ ପ୍ରାୟ 5-6ହଜାର ହେକ୍ଟରରେ ମାଛ ଚାଷ ହେଉଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଅଧିକାରିଣୀ । ଏହି ମତ୍ସ୍ୟ ଉତ୍ପାଦନକାରୀ ମହିଳାଙ୍କୁ ଟିକିଏ ସରକାରୀ ସାହାଯ୍ୟ ମିଳିଲେ ରାଜ୍ୟ ତଥା ରାଜ୍ୟ ବାହାରେ କେନ୍ଦ୍ରାପଡ଼ାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରନ୍ତା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ