କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୌରେନ୍ଦ୍ରପୁର ଗାଁରେ କାଳବୈଶାଖୀ ବର୍ଷାର କରୁଣ ଚିତ୍ର ଦେଖିବାକୁ ମିଳିଛି । ଏହି ଘୂର୍ଣ୍ଣିଝଡ ଗାଁର ଅନେକ ପରିବାରର ଘର ଉଜାଡି ଦେଇଥିବା ବେଳେ ବଡବଡ ଗଛ ଗୁଡିକୁ ଭାଙ୍ଗି ଦେଇଛି ।
ସୋମବାର ଅପରାହ୍ନରେ ଏକ ଘୂର୍ଣ୍ଣିଝଡ ଧାମରା ନଦୀର ପାଣିକୁ ଘୂରାଇଘୂରାଇ ଆକାଶକୁ ଉଠାଇ ନେଇଥିଲା । ଏହାପରେ ସେହି ଝଡ ମାଡିଆସିଥିଲା ଗାଁ ଆଡକୁ। ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୌରେନ୍ଦ୍ରନଗର ଗାଁ ମଝିରେ ସୃଷ୍ଟି କରିଥିଲା ବିତ୍ପାତ । କ୍ଷଣିକ ମଧ୍ୟରେ ଝଡ ତୋଫାନ ବର୍ଷା ଅନେକ କ୍ଷତି କରିଛି । ଘରର ଆଜବେଷ୍ଟସ ଉଡାଇନେଇ ଚୁନା କରିଦେଇଥିଲା । ଚାଳଛପର ଉଡାଇନେଇଥିଲା । ଆଖପାଖରେ ଥିବା ଗଛ ଗୁଡିକୁ ମୋଡି ଭାଙ୍ଗି ପକାଇଥିଲା ।
ପ୍ରାୟ ୪ ରୁ ୫ ମିନିଟ୍ ଧରି ବିତ୍ପାତ କରୁଥିବା ଏହି ଘୂର୍ଣ୍ଣିଝଡ଼ରେ ଗାଁର ଅନେକ ଘର ନିଶ୍ଚିହ୍ନ ହୋଇଛି । ରାଜନଗର ତହସିଲଦାର ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା ବେଳେ ବିସ୍ଥାପନ ହୋଇଥିବା ଦଶଟି ପରିବାରକୁ ଶୁଖିଲା ଖାଦ୍ୟ, ମୁଣ୍ଡ ଗୁଞ୍ଜିବା ପାଇଁ ପଲିଥିନ ପାଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ