କେନ୍ଦ୍ରାପଡ଼ା: କୋଭିଡ ମହାମାରୀ ଅନେକଙ୍କ ଜୀବନ ଛଡାଇ ନେଇଥିବା ବେଳେ ଜୀବିକା ପାଇଁ ଅନେକ କରୁଛନ୍ତି ସଂଘର୍ଷ । ତେବେ ଜଣେ ଦୃଷ୍ଟିବାଧିତ ହୋଇ ମଧ୍ୟ କେବେ କାହା ପାଖରେ ହାତ ପାତିନଥିବା ଦିବ୍ୟାଙ୍ଗ ଆଦିତ୍ୟଙ୍କ ପାଇଁ ଲକଡାଉନ ପାଲଟିଛି ଅଭିଶାପ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ତିନିମୁହାଣୀ ସରକାରୀ ଜମିରେ ଘର କରି ରହୁଥିବା ଆଦିତ୍ୟ ପ୍ରସାଦ ମଲ୍ଲିକ ଓ ତାଙ୍କ ପରିବାରର ।
ପରିବାର କହିଲେ ସ୍ତ୍ରୀ ଓ ୩ବର୍ଷର ପୁଅ । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ,ବସଷ୍ଟାଣ୍ଡ,ସାନ୍ତସାହି,କାକଟ ଆଦି ଅଞ୍ଚଳରେ ଦୈନିକ ଖବରକାଗଜ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ ଆଦିତ୍ୟ । ତେବେ କୋରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଗତ ୫ତାରିଖରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଓ ୨୦ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ଖବର କାଗଜ ବିକ୍ରି ସମ୍ଭବପର ହୋଇପାରୁନାହିଁ । ଘରେ ଚୁଲି ଜଳିବା ମୁସ୍କିଲ ହୋଇ ପଡିଛି ଆଦିତ୍ୟଙ୍କ ପରିବାର ପାଇଁ ।
ଅପରପକ୍ଷରେ ବାତ୍ୟା ୟାସ ଆସୁଥିବା ବେଳେ ଅର୍ଥାଭାବରୁ ରହୁଥିବା ଚାଳଘରକୁ ଛପର କରିବା ସମ୍ଭବପର ହୋଇପାରିନାହିଁ । କେମିତି ଚଳିବେ ଓ କିପରି ରହିବେ ସେନେଇ ଚିନ୍ତାରେ ପୁରା ପରିବାର । ଆଦିତ୍ୟଙ୍କ ଏଭଳି ଦୁଃଖ ଓ ଦୁର୍ଦ୍ଦିନ ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ପହଞ୍ଚି ରାସନ ଓ ଚାଉଳ ଯୋଗାଇ ଦେଇଥିବା ବେଳେ ଆଦିତ୍ୟଙ୍କ ଦୈନନ୍ଦିନ ଜୀବନରେ ସହାୟ ପାଇଁ ଏକ ଆଶାବାଡି ପ୍ରଦାନ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟ ସରକାର ଲକଡାଉନ ସମୟରେ କେହି ଭୋକିଲା ରହିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ଆଦିତ୍ୟ ଓ ତାଙ୍କ ପରିବାର ପାଇଁ ସରକାରଙ୍କ ଦରଦ କେତେ ତାହା ସ୍ପଷ୍ଟ ହେଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ