କେନ୍ଦ୍ରପଡା: ସ୍ବପ୍ନକୁ ପୂରଣ କରିବାରେ ବାଧକ ସାଜିଛି ଅର୍ଥ । ପେଟକୁ ମୁଠାଏ ଦାନା ଯୋଗଡ କାଠିକର ପାଠ ହୋଇଥିବା ବେଳେ ଡାକ୍ତରୀ ପାଠ ପଢିବା ପାଇଁ ଅର୍ଥ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି । ମେଧାବୀ ଛାତ୍ର ହୋଇ ମଧ୍ୟ ସ୍ବପ୍ନକୁ ପୂରଣ କରିବା ପାଇଁ ନାଁ କୋଚିଂ ସେଣ୍ଟର ଯାଇ ପାରୁଛନ୍ତି ନାଁ ବହି କିଣି ପାରୁଛନ୍ତି । ଇଣ୍ଟରନେଟ ୟୁଟ୍ଯୁବ୍ ହିଁ ଶେଷ ସାହାରା । ଏପରି ଜଣେ ମେଧାବୀ ଛାତ୍ର ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଉଜାଙ୍ଗ ଗାଁର ଜାନୁ ଜେନାଙ୍କ ପୁଅ ପ୍ରଭାତ କୁମାର ଜେନା । ମେଧାବୀ ଛାତ୍ର ଭାବେ ଗାଁରେ ବେଶ ପ୍ରଶଂସା ପାଇଛନ୍ତି । ପାଠପଢି଼ ଡାକ୍ତର ହୋଇ ରୋଗୀଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ।
ପ୍ରଭାତଙ୍କ ଡାକ୍ତର ହେବା ନିଶା: ବିନା କୋଚିଂରେ ଦଶମ ଓ ଦ୍ବାଦଶରେ ରଖିଥିଲେ 86% । ଘରେ ଅର୍ଥର ଅଭାବ କାରଣରୁ ପରିବାର ଜମି, ଧାନ ବିକି କଟକର ରେଭେନ୍ସା କେଲେଜରେ +2 ପଢାଇଥିଲେ । ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବାପରେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେବାକୁ ମନ ବଳାଇଥିଲେ ପ୍ରଭାତ । କୋଚିଂ ପାଇଁ ପଖରେ ପଇସା ଅଭାବରୁ ଇଣ୍ଟରନେଟ୍ରୁ ପଢି ନିଟ୍ ପାସ କରିବାକୁ ଚେଷ୍ଟା କରିଥିଲେ । ୨୦୨୨ ମସିହାରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଖୁବ୍ ଅଳ୍ପ ବ୍ୟବଧାନରେ ଫେଲ୍ ମାରିଥିଲେ। ହେଲେ ଆସନ୍ତା ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ବୋଲି ଲକ୍ଷ୍ୟ ମଧ୍ୟ ରଖିଛନ୍ତି । ଏବେବି ଇଣ୍ଟର୍ନେଟ୍ରୁ ଦେଖି ପଢି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପ୍ରୟାସ ଚଳାଇଛନ୍ତି । ପୁଅର ପାଠପଢା ପାଇଁ ସରକାରୀସ୍ତରରେ ସାହାଯ୍ୟ ଲୋଡିଛନ୍ତି ପରିବାର ।
ଆର୍ଥିକ ଅନଟନରେ ପ୍ରଭାତଙ୍କ ପରିବାର : ପ୍ରଭାତଙ୍କ ବାପା ଜଣେ ଦିନ ମଜୁରିଆ । ପର ଘରେ ଖଟି ମଜୁରୀ ଆଣି ପରିବାର ପ୍ରତିପୋଷଣ କରି ଥାଆନ୍ତି ।
ଏମିତିକି ନିଜର ଜମିବାଡ଼ି ନଥାଇ ପର ଜମିରେ ଭାଗଚାଷ କରନ୍ତି । ଏଥିରେ ପରିବାର ଚଳାଇବା କାଠିକର ପାଠ ହୋଇପଡିଥିବା ବେଳେ ପୁଅର
ଡାକ୍ତରୀ ପଢ଼ିବା ନିଶା ତାଙ୍କର ଚିନ୍ତା ବଢାଇ ଦେଇଛି ।
ପ୍ରଭାତ କହିଛନ୍ତି, ‘‘ମୋବାଇଲ୍ ଯୋଗେ ଅନ୍ ଲାଇନ୍ ପାଠପଢିବା ପାଇଁ ପୁରୁଣା ମୋବାଇଲ୍ ଯୋଗାଡ଼ କରିଛି । ହେଲେ ପ୍ରତିମାସ ଇଣ୍ଟରନେଟ୍ ପ୍ୟାକ୍ ପକାଇବାକୁ ତାଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡ଼ୁଛି । ଏହା ସହିତ ଏନସିଇଆରଟି ଓ ନିଟ୍ ପାଠପଢା ପାଇଁ ଆବଶ୍ୟକ ବହି ନ ଥିବାରୁ କେବଳ ୟୁଟ୍ୟୁବ୍ ଉପରେ ଭରସା ରଖି ପଢୁଛି। ପାଠପଢା ପାଇଁ ବହୁତ ବହିର ଆବଶ୍ୟକତା ରହିଛି ହେଲେ କିଣିବା ପାଇଁ ଅର୍ଥ ବାଧକ ସାଜୁଛି।" ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ ପାଇଁ ତାଙ୍କ ମୋବାଇଲ ନମ୍ବର 7750929942ରେ ଯୋଗାଯୋଗ କରି ପାରିବେ ।
ଏହାକୁ ନେଇ ରାଜକନିକା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଛନ୍ତି, "ଜିଲ୍ଲାସ୍ତରୀୟ ଶିକ୍ଷା ବିଭାଗ ସହ କଥା ହୋଇ କିପରି ଏହି ମେଧାବୀ ଛାତ୍ରଙ୍କୁ ଆଗକୁ ବଢ଼ିବେ ସେନେଇ ପଦକ୍ଷେପ ନିଆଯିବ ।"
ଇଟିଭି ଭାରତ, କେନ୍ଦ୍ରାପଡା