କେନ୍ଦ୍ରାପଡ଼ା: ଗଡୁଛି ଦିନ, ମାଡି ଚାଲିଛି କୋରୋନା। ସଂକ୍ରମଣ ଓ ମୃତ୍ୟୁହାରରେ ବ୍ରେକ ଲାଗୁନି। ଏପଟେ ପୂର୍ବ ଅପେକ୍ଷା କମିବାରେ ଲାଗିଛି ସରକାରଙ୍କ ସହାନୁଭୂତି ଓ ସଚେତନତା। ଏବେ ଧୀରେ ଧୀରେ ପଦାରେ ପଡୁଛି ସରକାରଙ୍କ ମହାମାରୀ ମୁକାବିଲାର ପାରିବାପଣିଆ।
ବିଭିନ୍ନ ସ୍ଥାନରୁ ନଜର ଆସୁଛି କୋରୋନା ଚିକିତ୍ସାର ନଗ୍ନ ଚିତ୍ର। ମାର୍ଚ୍ଚରୁ ମହାମାରୀ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବରରେ ଏହା ଆକାଶ ଛୁଆଁ। ରାଜ୍ୟରେ ସବୁ ଜିଲ୍ଲାରେ କାୟା ବିସ୍ତାର କରିଛି ଏହି ଭାଇରସ। କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ମାସରେ ଦୈନିକ ୫୦ତଳକୁ ଖସୁନାହିଁ ଆକ୍ରାନ୍ତଙ୍କ ସଂଖ୍ୟା।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦୦ ଟପି ସାରିଥିବା ବେଳେ ୮ଜଣ କୋରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି। ଏପଟେ ପୂର୍ବ ଅପେକ୍ଷା ଚିକିତ୍ସା ବ୍ୟବସ୍ଥା ମନ୍ଥର ହେବାରେ ଲାଗିଛି। ଛତାସ୍ଥିତ କୋଭିଡ ହସ୍ପିଟାଲର ଶୌଚାଳୟର ଦୟନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି କୋଭିଡ ହସ୍ପିଟାଲରେ x-ray ମେସିନ କାମ କରୁନଥିବାରୁ ରୋଗରୁ ଉପଶମ ନପାଇ ହତାଶ ଆକ୍ରାନ୍ତ।
କୋଭିଡ୍ 19 ପରିଚାଳନାରେ ସ୍ବାସ୍ଥ୍ୟ ବିଭାଗର ବେପରୁଆ ମନୋଭାବ ପୋଷଣ । ଯାହାଫଳରେ ରୋଗୀ ବଦଳରେ କୋଭିଡ ଆଇସୋଲେସନ ବେଡରେ କୁକୁର ଶୋଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ସରକାରଙ୍କ କୋରୋନା ପରିଚାଳନାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘଟଣାକୁ ନେଇ ବୁଦ୍ଧିଜୀବି ଓ ଜନସାଧାରଣ ଚିନ୍ତା ପ୍ରକଟ କରିଥିବା ବେଳେ ପ୍ରଶାସନିକ ଅଧିକାରୀ କିନ୍ତୁ ଭିନ୍ନ ମତ ପ୍ରକାଶ କରିଛନ୍ତି।
ଉପ ଜିଲ୍ଲାପାଳଙ୍କ କହିବାନୁଯାୟୀ ଜିଲ୍ଲାରେ ସଂକ୍ରମଣ ହାର ବଢୁଥିଲେ ମଧ୍ୟ ଜିଲ୍ଲା,ରାଜ୍ୟ ଓ ଦେଶରେ ଥରେ ସର୍ବାଧିକ ଟେଷ୍ଟିଂ କରୁଥିବା ରେକର୍ଡରେ ସ୍ଥାନ ପାଇଛି। ତେବେ ଯେଉଁ ସ୍ଥାନରେ ଅଭିଯୋଗ ଆସୁଛି ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ କରାଯାଉଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ।
ଗୋଟିଏ ପଟେ କୋରୋନା ମୁକାବିଲା ପାଇଁ ପ୍ରଶାସନ ଓ ରାଜ୍ୟ ସରକାର ଢ଼ିଣ୍ଡୁରା ପିଟୁଥିବା ବେଳେ ବାସ୍ତବିକ ସ୍ଥିତି ଉପରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକତା ହୋଇପଡିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ