କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପୋଇପାଟ ଗଣଦୁଷ୍କର୍ମ ଘଟଣାର ୪ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ୨୦୧୯ ମସିହା ଜୁନ୍ ମାସ ୨୮ ତାରିଖ ମଧ୍ୟ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପୋଇପାଟ ଗାଁରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ୍ଵର ସାହୁକୁ ଗିରଫ କରିଛି ଆଳି ପୋଲିସ ।
ଘଟଣାକୁ ରୂପରେଖ ଦେଇ ସାରିବା ପରେ ମହେଶ୍ଵର ସାହୁ ପୋଲିସକୁ ଚକମା ଦେଇ ଫେରାର୍ ହୋଇ ଯାଇଥିଲା । ପୋଲିସ ମହେଶ୍ଵର ନାମରେ ୱାରେଣ୍ଟ ଜାରି କରିଥିଲା । ହେଲେ ଗତ ରବିବାର ଦିନ ନିଜ ମା'ର ଦଶାହ କର୍ମରେ ଯୋଗ ଦେବାକୁ ଆସି ନିଜ କଳସପୂର ଗାଁରୁ ଆଳି ପୋଲିସ ହାତରେ ଧରା ପଡିଛି ମହେଶ୍ଵର । ମହେଶ୍ଵରକୁ ଗିରଫ କରି ପୋଲିସ SDJMଙ୍କ କୋର୍ଟରେ ହାଜର କରିଥିଲା । ସେଠାରେ ତାର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମହେଶ୍ୱରକୁ ବାରିମୂଳସ୍ଥିତ ଜିଲ୍ଲା ଉପ କାରଗାର ଜେଲକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଏକ ଜମିଜମା ଗଣ୍ଡଗୋଳରୁ ଆକ୍ରୋଶ ରଖି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ମହେଶ୍ଵର କିଛି ଅସାମାଜିକ ଲୋକଙ୍କୁ ନିୟୋଜିତ କରିବା ସହ ନିଜେ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୀଡିତାଙ୍କ ସ୍ଵାମୀ ଏତଲାରେ ମୋଟ ୭ ଜଣଙ୍କ ନାମ ଉଲ୍ଲେଖ କରିଥିଲେ । ସେମାନଙ୍କ ମଧ୍ୟରେ ମହେଶ୍ବର ସାହୁ ଏବଂ ତାଙ୍କ ସ୍ତ୍ରୀ ଝରଣା ସାହୁଙ୍କ ନାମ ମଧ୍ୟ ରହିଥିଲା । ତେବେ ମହେଶ୍ଵର ଓ ତାଙ୍କ ସ୍ତ୍ରୀ ଝରଣା ଫେରାର ଥିବାବେଳେ ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ମଲ୍ଲିକକୁ ଜେଲ ଦଣ୍ଡ ହୋଇଛି ।
ଏହା ମଧ୍ୟ ପଢନ୍ତୁ - ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଅପହରଣ ମାମଲା, 2 ଦୋଷୀଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ
ପ୍ରକାଶ ଥାଉକି, ବଲାଙ୍ଗୀର ସିନ୍ଧେକେଲା ଥାନା ଅଞ୍ଚଳରେ ଗତ 2016 ମସିହାରେ ଜଣେ ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ଏହାର ତଦନ୍ତ କରିଥିଲା । ତେବେ ପୋଲିସ ତଦନ୍ତ କରୁଥିବା ବେଳେ ନାବାଳିକାଙ୍କୁ ଦୁଇ ଦିନ ପରେ ଅପହରଣକାରୀ ଘରେ ଛାଡ଼ି ଦେଇଥିଲେ । ଯାହା ପରେ ନାବାଳିକାର ବୟାନକୁ ପୋଲିସ ରେକର୍ଡ କରିଥିଲା । ଯେଉଁଥିରେ ଅପହରଣକାରୀ ନାବାଳିକାକୁ ଦୁଇ ଦିନ ଏକ ଜଙ୍ଗଲ ମଧ୍ୟରେ ରଖି ଗଣଦୁଷ୍କର୍ମ କରିଥିବା ଜଣା ପଡ଼ିଥିଲା । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ପ୍ରମୋଦ ବରିହା ଓ ଅଭିଳାଷ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୁଇ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଗତ ମାର୍ଚ୍ଚ ମାସରେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ତଥା ଜିଲ୍ଲା ଏଡିଜେ ସ୍ୱତନ୍ତ୍ର ଗୋପବନ୍ଧୁ ଗଡ଼ନାୟକ ଏହାର ଚୂଡ଼ାନ୍ତ ରାୟ ଶୁଣାଇବା ସହ ଦଣ୍ଡାଦେଶ ଶୁଣାଇଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା