କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳେଦେବଜୀଉ, ଭଉଣୀ ସୁଭଦ୍ରା ଓ ସାନଭାଇ ଜଗନ୍ନାଥଙ୍କ ସମେତ ଶ୍ରୀ ସୁଦର୍ଶନ। ବ୍ରହ୍ମ ତାଳଧ୍ବଜ ରଥାରୁଢ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ସହ ମାଉସୀ ମା ମନ୍ଦିର ଅଭିମୁଖେ ଶ୍ରୀଗୁଣ୍ଡିଚା ଦିନ ଆରମ୍ଭ କରିବେ ଯାତ୍ରା । ସେଥିପାଇଁ ଏବେ ରଥ ଖଳା ଚଳଞ୍ଚଳ। ତୁଳସୀକ୍ଷେତ୍ରର ରଥଖଳାରେ ଏବେ ରଥ ନିର୍ମାଣ କାର୍ଯ୍ୟ ମହାରଣା ସେବାୟତଙ୍କ ଦ୍ବାରା ଦୃତ ଗତିରେ ଆଗେଇ ଚାଲିଛି । ପ୍ରତ୍ୟେକ ବର୍ଷ ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ନିର୍ମାଣ କରାଯାଉଥିବା ବ୍ରହ୍ମ ତାଳଧ୍ବଜ ରଥ କିଛି ନୂଆ କାଠ ଓ ପୁରୁଣା କାଠରେ ନିର୍ମାଣ କରାଯାଇଥାଏ। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ଏହି ରଥ ନିର୍ମାଣ କାର୍ଯ୍ୟ।
ବ୍ରହ୍ମ ତାଳଧ୍ୱଜ ରଥର ଅଖ ସଂଖ୍ୟା 7 ଓ ଚକ ସଂଖ୍ୟା 14। ଏକ ହଜାର ଚବିଶି ଖଣ୍ଡ ନୂଆ ଓ ପୁରୁଣା କାଠରେ ପ୍ରତ୍ୟେକ ବର୍ଷ ରଥ ନିର୍ମାଣ କରାଯାଇଥାଏ । ରଥର ଉଚ୍ଚତା ଦୃଷ୍ଟିରୁ ଏହାକୁ ପୃଥିବୀର ସର୍ବୋଚ୍ଚ ରଥ ବୋଲି ଅଭିହିତ କରାଯାଇଥାଏ।ବ୍ରହ୍ମ ତାଳଧ୍ୱଜ ରଥର ଉଚ୍ଚତା 74 ଫୁଟ। ପରମ୍ପରା ଅନୁସାରେ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥର ଦୁଇଟି ନୂଆ ନିର୍ମାଣ କରାଯାଇ ପୂଜା କରାଯାଇଥାଏ ଓ ପରେ 14ଟି ଚକ 7ଟି ଅଖ ସହ ସଂଯୋଗ କରାଯାଇଥାଏ।ଏହି ରଥ କାର୍ଯ୍ୟରେ କମାର ମହାରଣା ମାନେ ରଥ ନିର୍ମାଣ ଲାଗି ଆବଶ୍ୟକ ଥିବା ପାଖାପାଖି 32 କ୍ୱିଣ୍ଟାଲ ଲୁହକଣ୍ଟାରୁ ପ୍ରାୟ 6ରୁ7 ନୂତନ ଲୁହା କିଣାଯାଇଥାଏ। ସେମାନଙ୍କ ଦ୍ବାରା ଶ୍ରୀଜୀଉଙ୍କ କମାରଶାଳାରୁ ତିଆରି କରି ଯୋଗାଇଥାନ୍ତି। ସେଥିପାଇଁ ସେମାନେ ମନ୍ଦିର ପକ୍ଷରୁ ସ୍ୱଳ୍ପ ପାରିଶ୍ରମିକ ମିଳୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାରୁ ନିଜକୁ ଧନ୍ୟ ମନେ କରିଥାନ୍ତି।
ରଥ କାର୍ଯ୍ୟ ନେତ୍ର ଉତ୍ସବ ଦିନ ଶେଷ କରି ବଳଦେବଜୀଉଙ୍କ ମନ୍ଦିର ଦେବୋତ୍ତର ବିଭାଗକୁ ଦେବା ଲାଗି ଏବେ ରଥ ନିର୍ମାଣରେ କାରିଗରମାନେ ନିମଗ୍ନ । ଏଥିପାଇଁ ମହାରଣା କାରିଗର 36, କମାର ମୂଲିଆ 06, ରଜକ 02 ଓ ଅନ୍ୟ ମୂଲିଆ ମିଶି ମୋଟ 62 ଜଣ କାରିଗର ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଏହି ରଥ ନିର୍ମାଣ ମନ୍ଦିର ସଦୃଶ ହୋଇଥାଏ । ରଥ କାର୍ଯ୍ୟ ବେଶ ଆଗେଇ ଚାଲିଛି । ଆଉ ନେତ୍ର ଉତ୍ସବ ଦିନ ରଥ କାରିଗର ରଥ ନିର୍ମାଣ ଶେଷ କରି ବେଳଦେବଜୀଉ ମନ୍ଦିର ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଯାହାକି ଆଶା ରହିଛି ଉକ୍ତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମାପନ ହୋଇଯିବ ଓ ପରେ ଆର ଆଣ୍ଡ ବି ର ଅଧିକାରୀ ଆସି ଫିଟନେସ ଓ ସାର୍ଟିଫିକେଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଚଳିତବର୍ଷ କୋରୋନା କଟକଣା ଓ ବର୍ଷା ଯୋଗୁଁ ରଥ ନିର୍ମାଣରେ ବାଧା ସୃଷ୍ଟି ହୋଇଛି । କୋଭିଡ 19 ପାଇଁ ମୁହଁରେ ମାସ୍କ, ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ରଥ ନିର୍ମାଣ ପାଇଁ ପ୍ରଶାସନିକ ଅନୁମତି ମିଳିଥିଲେ ମଧ୍ୟ ରଥ ଚାଲିବ କି ନାହିଁ ସନ୍ଦେହରେ ଦେବୋତ୍ତର ବିଭାଗ। ରଥଯାତ୍ରା ପାଇଁ ପ୍ରଶାସନ ଓ ଦେବୋତ୍ତର ବିଭାଗ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାହାକୁ ଅପେକ୍ଷା।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ