କେନ୍ଦ୍ରାପଡ଼ା: ଏକ ଟଙ୍କାରେ ମିଳୁଛି ଅଢ଼େଇ ଲିଟର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ । ୱାଟର ଏଟିଏମ୍ ଦ୍ୱାରା ବେଶ ଉପକୃତ ହେଉଛନ୍ତି ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ପଞ୍ଚାୟତର ଲୋକେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ସେହି ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ସାହାରା ପାଲଟିଛି ଏହି ପ୍ରକଳ୍ପଟି । ମାତ୍ର ଟଙ୍କାଏରେ ସଭିଏଁ ତୃଷ୍ଣା ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ଜଳ ଟିକେ ପାଇପାରୁଛନ୍ତି । ଯାହାକି ରାଜ୍ୟବ୍ୟାପୀ ଏବେ ଚର୍ଚ୍ଚାରେ ।
ଏବେବି ରାଜକନିକା ବ୍ଲକର ବିଭିନ୍ନ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିନାହିଁ । ଭାରିଗଦା ପଞ୍ଚାୟତରେ ମଧ୍ୟ ପାନୀୟ ଜଳ ସମସ୍ୟା ରହିଛି । ନଳକୂପରୁ କେଉଁଠି ଲୌହ ମିଶ୍ରିତ ପାଣି ତ କେଉଁଠି ପିଇବା ଉପଯୋଗୀ ପାଣି ବାହାରି ନଥାଏ । ସେଥିପାଇଁ ସ୍ଥାନୀୟ ସରପଞ୍ଚ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ଉଦ୍ୟମ କରିଥିଲେ । ଫାଇନାନ୍ସ କମିଶନର ଆର୍ଥିକ ଅନୁଦାନରେ ୫ ଲକ୍ଷ ଟଙ୍କା ବ୍ୟୟକରି ଅଚ୍ୟୁତପୁରସ୍ଥିତ ଶିବମନ୍ଦିର ଠାରେ ଗତ ଫେବୃୟାରୀ ମାସରେ ୱାଟର ଏଟିଏମ୍ ସ୍ଥାପନ କରିଛନ୍ତି ।
ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆଇ ଓ ପ୍ୟୁରିଫାୟର ଟେକ୍ନୋଲୋଜି ଲାଗିଛି । ଆଉ ଏହି ୱାଟର ଏଟିଏମ୍ରେ ଟଙ୍କାଟେ ଗଳାଇଲେ ଅଢ଼େଇ ଲିଟର ଥଣ୍ଡା ପାଣି ଆସୁଥିବାବେଳେ, ୭ ଟଙ୍କାରେ ୨୦ ଲିଟର ପାନୀୟ ଜଳ ମିଳୁଛି । ଖାଲି ସେତିକି ନୁହେଁ ଯେଉଁ ବ୍ୟକ୍ତି ଚାହିଁବେ ସେ ୫୦ ଟଙ୍କା ଦେଇ ଏହି ଏଟିଏମ୍ କାର୍ଡ ସ୍ଥାନୀୟ ସରପଞ୍ଚଙ୍କ ନିକଟରୁ ନେଇ ପାରିବେ ଓ ରିଚାର୍ଜ କରିପାରିବେ । ପରେ ଉକ୍ତ କାର୍ଡ଼କୁ ୱାଟର ଏଟିଏମ୍ର ସେନ୍ସର ନିକଟରେ ଦେଖାଇଲେ ଯେତିକି ଟଙ୍କାର ପାଣି ଦରକାର ତାହାକୁ ଫିଟ କଲେ ଏଟିଏମ୍ରେ ପାଣି ବାହାରିବ । ଏହି ଏଟିଏମ୍ଟି ୨୪ ଘଣ୍ଟା କାର୍ଯ୍ୟକ୍ଷମ ହୋଇଥାଏ । ବିଦ୍ୟୁତ ପଳାଇଲେ ବି ଏହା ସୌରଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ । ଏହାକୁ ସୁରକ୍ଷା ଦେବା ଲାଗି ସିସିଟିଭି ମଧ୍ୟ ଖଞ୍ଜା ଯାଇଛି ।
ଏହି ୱାଟର ଏଟିଏମ୍ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ କଟକ-ଚାନ୍ଦବାଲି ଯାଉଥିବା ଲୋକେ ମଧ୍ୟ ବେଶ ଉପକୃତ ହେଉଛନ୍ତି । ଏତେ କମ ମୂଲ୍ୟରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମିଳୁଥିବାରୁ ବେଶ ଖୁସି ଅଛନ୍ତି ଲୋକେ । ବାହାଘର, ବ୍ରତଘର ଇତ୍ୟାଦିରେ ମଧ୍ୟ ଲୋକମାନେ ଥଣ୍ଡା ପାନୀୟ ଜଳ ନେଇଥାନ୍ତି ଏହି ୱାଟର ଏଟିଏମ୍ରୁ । ସେଥିପାଇଁ ସ୍ଥାନୀୟ ସରପଞ୍ଚ ଜାର ମଧ୍ୟ ଯୋଗାଇ ଦେଇଥାନ୍ତି । ଏହି ଏଟିଏମ୍ରେ ୨୫୦ ଲିଟର ପାଣି ଗଚ୍ଛିତ ହୋଇ ରହିଥାଏ । ଏଥିପାଇଁ ଏଟିଏମ୍ ପାଖରେ ଏକ ୨୫୦ ଲିଟରର ଟାଙ୍କି ମଧ୍ୟ ସ୍ଥାପନ କରାଯାଇଛି ।
ଫନୀ ବାତ୍ୟାରେ ପାନୀୟ ଜଳର ସମସ୍ୟା ଦେଖାଦେଇଥିବାବେଳେ ଏହି ଅଞ୍ଚଳର ଲୋକମାନେ ୱାଟର ଏଟିଏମ୍ ଦ୍ଵାରା ବେଶ ଉପକୃତ ହୋଇଥିବା କହିଛନ୍ତି । ରାଜକନିକାରେ ୬ଟି ପଞ୍ଚାୟତରେ ୱାଟର ଏଟିଏମ୍ ସ୍ଥାପନ କରାଯାଇଥିବାବେଳେ ୩୦ଟି ପଞ୍ଚାୟତରେ ୱାଟର ଏଟିଏମ୍ ଆଗକୁ ନିର୍ମାଣ କରାଯିବ ବୋଲି ୱାଟର ଏଟିଏମ୍ର ରକ୍ଷଣାବେକ୍ଷଣ କରୁଥିବା କର୍ମଚାରୀ ସୂଚନା ଦେଇଛନ୍ତି । ସପ୍ତାହକୁ ପାଖାପାଖି ୧୮ଶହ ଟଙ୍କାର ପାନୀୟ ଜଳ ବିକ୍ରି ହୋଇଥାଏ । ଏହି ଏଟିଏମ୍ରୁ ଆୟ ହେଉଥିବା ଅର୍ଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ । ତେବେ ଏହି ୱାଟର ଏଟିଏମ୍ ଯୋଗୁଁ ଏଥର ଗ୍ରୀଷ୍ମରେ ମିନେରାଲ ୱାଟର ବ୍ୟବସାୟ ବେଶ ପ୍ରଭାବିତ ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ