କେନ୍ଦ୍ରାପଡ଼ା: ଜିଲ୍ଲାରେ ସରକାରୀ କାମରେ ପିସି ନଦେଲେ ଘୁଞ୍ଚୁନି ଫାଇଲ । କେନ୍ଦ୍ରାପଡ଼ା ବ୍ଲକରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପୁରୁଷୋତ୍ତମପୁର ଓ ଢୋଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଅଛନ୍ତି ସୁଲେଖା ମଲିକ । ତେବେ ଜଣେ ଠିକାଦାରଙ୍କ ବିଲ୍ କରାଇବା ପାଇଁ ସେ ପିସି ମାଗୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପିସି କାରବାର ପାଇଁ ମଧ୍ୟସ୍ତି ପାଲଟିଛନ୍ତି ସୁଲେଖା ମଲିକଙ୍କ ସ୍ବାମୀ ରଘୁ ମଲିକ ।
ଏହାକୁ ନେଇ ଏକ ଭିଡିଓ ଓ ଅଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ସରକାରୀ ଅଫିସ୍ରେ ଚାଲିଥିବା ପିସି କାରବାର ବିଷୟରେ ସୂଚନା ଦେଉଛନ୍ତି । ତା ସହିତ ଏଥିରେ ତାଙ୍କର କେତେ ପ୍ରତିଶତ ଭାଗ ରହିଛି ଓ ଅନ୍ୟମାନେ କେତେ ପ୍ରତିଶତ ଭାଗ ନେବେ ତାହା କହୁଛନ୍ତି । ସରକାରୀ ଚାକିିରୀ କରି ଭଲ ଦରମା ପାଉଥିଲେ ସୁଦ୍ଧା ଲାଞ୍ଚ ଟଙ୍କାର ଲୋଭ ଛାଡ଼ି ପାରୁ ନାହାନ୍ତି ସରକାରୀ କର୍ମଚାରୀ । ସେପଟେ ସୁଲେଖା ମଲିକଙ୍କ ସ୍ବାମୀ ରଘୁ ମଲିକ ବେଧଡ଼କ ଭାବରେ ସରକାରୀ ଅଫିସରେ ପସି କାର୍ଯ୍ୟ କରୁଛନ୍ତି । ତା ସହିତ ସେ ଠିକାଦାରଙ୍କ MB ରସିଦରେ ଦସ୍ତଖତ କରି ବିଲ୍ ମଧ୍ୟ କରୁଛନ୍ତି ।
ବିଶ୍ୱସୁନ୍ଦର ସେଠୀ ନାମକ ଠିକାଦାର ପୁରୁଷୋତ୍ତମପୁର ପଞ୍ଚାୟତରେ ୩ଲକ୍ଷ ଟଙ୍କାରେ ଏକ ରାସ୍ତାକାମ କାର୍ଯ୍ୟାଦେଶ ପାଇଥିଲେ । ସକ୍ୟୁରିଟି ବାବଦକୁ ୨୦ ହଜାର ଟଙ୍କା କାଟି ତାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ଫେରାଇବା ବଦଳରେ ୨ ଲକ୍ଷ ୫୩ ହଜାର ଟଙ୍କା ଦିଆଯାଇଛି । ପିସି କାରବାର ପାଇଁ ତାଙ୍କ ପାଉଣାର ୨୭ ହଜାର ଟଙ୍କା କାଟି ଦିଆଯାଇଛି । ପିସି କାରାବାରରେ ବ୍ଲକ ଅଧିକାରୀଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମଧ୍ୟ ସାମିଲ ଥିବା ନେଇ ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ ପଞ୍ଚାୟତ ନିର୍ବାହୀ ଅଧିକାରିଣୀଙ୍କ ସ୍ବାମୀ ଠିକାଦାରଙ୍କଠାରୁ କେତେ ପିସି ନେବେ ତାହା ମଧ୍ୟ ମୂଲଚାଲ କରୁଛନ୍ତି । ଠିକାଦାର ଜଣଙ୍କ ନିର୍ବାହୀ ଅଧିକାରିଣୀଙ୍କ ସ୍ବାମୀଙ୍କ ସହ କଥା ହେଉଥିବା ଏହି ଅଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ପଞ୍ଚାୟତ ସ୍ତରରେ ତିକ୍ତତା ବୃଦ୍ଧି ଯୋଗୁଁ ପଲ୍ଲୀସଭା ବନ୍ଦ କରାଯାଇ ସମସ୍ତ କାର୍ଯ୍ୟାଦେଶ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ ରଖାଯାଇ କାମର ମାନ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ତେବେ କିଛି ଅସାଧୁ କର୍ମଚାରୀଙ୍କ କାର୍ଯ୍ୟାଦେଶ ବିକ୍ରି କରି ଟଙ୍କା ହଡ଼ପ କରିବା ଲୋଭ ସରକାରଙ୍କ ଯୋଜନାକୁ ଲକ୍ଷ୍ୟଚ୍ୟୁତ କରିବାକୁ ବସିଛି ।
ଏନେଇ କେନ୍ଦ୍ରାପଡ଼ା ବିଡ଼ିଓଙ୍କ ପ୍ରତିକ୍ରିୟା ଲୋଡିବାରୁ ସେ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ରଘୁ ମଲିକ ସରକାରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରି କାମ କରୁଥିବା ବେଳେ ଏଥିରେ କେହି ତାଙ୍କୁ ବାଧା ନଦେବା ସରକାରୀ ଅଧିକାରୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇଟିଭି ଭାରତ, କେନ୍ଦ୍ରାପଡା