କେନ୍ଦ୍ରାପଡ଼ା: ଖରୋସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ କେନ୍ଦ୍ରାପଡାବାସୀଙ୍କ ବିରୋଧ । ଏହାକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଛି । ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଆନ୍ଦୋଳନକାରୀଙ୍କ ଦାବି ରହିଛି ।
କେନ୍ଦ୍ରାପଡା ଜିଲ୍ଲାରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିନବ ଉପାୟରେ ଆନ୍ଦୋଳନ କରାଯାଇଛି । ସମିତି ପକ୍ଷରୁ ଜିଲ୍ଲା ସ୍ଥିତ ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରାଯାଇଛି । ପ୍ରକଳ୍ପକୁ ବନ୍ଦ କରିବା ଦାବିନେଇ ଆଜି(ରବିବାର) ଶତାଧିକ ମହିଳା ଖରସ୍ରୋତା ନଦୀ ନିକଟରେ ଏକାଠି ହୋଇଥିଲେ । ମହିଳାମାନେ ନଦୀ ମଧ୍ୟରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି ।
ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇ ଆଳି ଓ ରାଜକନିକା ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉ । ତାପରେ ଭଦ୍ରକ ଜିଲ୍ଲାକୁ ପାଣି ଦେବା କଥା ଚିନ୍ତା କରାଯାଉ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ।ଅନ୍ୟପଟେ ରାଜ୍ୟ ସରକାର ଖରସ୍ରୋତା ନଦୀରେ ୮୬୮ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାକୁ ପାଣି ଯୋଗାଇ ଦେବାପାଇଁ ନିଷ୍ପତ୍ତି ନେଇ ଥିବାବେଳେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହି ପ୍ରକଳ୍ପ ଆରମ୍ଭ ଦିନରୁ ଏହାକୁ ବିରୋଧ କରିଆସୁଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ