କେନ୍ଦ୍ରାପଡା: ଓମାନରେ ଭୋକ ଉପାସରେ ଫସିଛନ୍ତି ଜଣେ ଓଡ଼ିଆ ଶ୍ରମିକ । ଫେରାଇ ଆଣିବାକୁ ସୋସିଆଲ ମିଡିଆରେ କଲେ ଆକୁଳ ନିବେଦନ । ରୋଜଗାର ଅନ୍ବେଷଣରେ ଯାଇ ଦେଶ ବାହାରେ ଫସିଛନ୍ତି ଜଣେ ଓଡିଆ ଶ୍ରମିକ । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ପଞ୍ଚାୟତ ଆମ୍ବେର ଗାଁର ଦେବାଶିଷ ପ୍ରଣିଗ୍ରାହୀ ବିଦେଶ ଯାଇଥିବା ବେଳେ ସେଠାରେ ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ କାମ କରିପାରୁନାହାନ୍ତି । ଘରକୁ ଆସିବାକୁ ଚାହୁଁଥିବା ବେଳେ କମ୍ପାନୀର ଛାଡୁନାହିଁ । ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ସେ ।
ସୂଚନା ମୁତାବକ, ଭୁବନେଶ୍ବରର ଏକ ସଂସ୍ଥା ସହଯୋଗରେ ଗତ ୮ ମାସ ତଳେ ଦେବାଶିଷ ଓମାନ ଯାଇଥିଲେ । ସେଠାରେ ସେ ଗୋଲ୍ଡଡେନ ଇଣ୍ଟରନ୍ୟାସନାଲ କମ୍ପାନୀରେ କାମ କରୁଥିଲେ । ହେଲେ ଗତ କିଛିମାସ ହେବ ତାଙ୍କ ଶରୀର ଅସୁସ୍ଥ ରହିବା ହେତୁ ସେ କାମ କରିପାରୁନାହାନ୍ତି । ଏହି କାରଣରୁ ତାଙ୍କୁ ଦରମା ଦିଆଯାଉନଥିବା ବେଳେ ଠିକରେ ଖାଇବାକୁ ମିଳୁନି କି ମିଳୁନି ଚିକିତ୍ସା ସୁବିଧା । ଆସିବା ପାଇଁ କହୁଥିଲେ ମଧ୍ୟ ଭିସା ପାସପୋର୍ଟ ଫେରାଉ ନାହିଁ ସଂସ୍ଥା ।
ଭୁବନେଶ୍ବରର ଏଜେନ୍ସିକୁ ଫୋନ କଲେ ମଧ୍ୟ ସେ ଫୋନ ଉଠାଉନାହାନ୍ତି ବୋଲି ଅଭିଯୋଗ ହୋଇଛି । ସୋସିଆଲ ମିଡ଼ିଆରେ ନିଜର ଦୁଃଖ ଜଣାଇବା ପରେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ । ତୁରନ୍ତ ଉଦ୍ଧାର ପାଇଁ ସେ ସୋସିଆଲ ମିଡିଆ ଜରିଆରେ ଗୁହାରୀ କରିଛନ୍ତି । ଏ ସମ୍ପର୍କରେ ସେ କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ ବୋଲି ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି।
ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଗାଁକୁ ଫେରାଇ ଆଣିବା ଲାଗି ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଜିଲ୍ଲାରେ କେବେଳ ଏହି ଘଟଣା ନୂଆ ନୁହେଁ,ପୂର୍ବରୁ ମଧ୍ୟ ଏଭଳି ଘଟଣା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆସିଛି । ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ,ଶ୍ରମ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ସମନ୍ବୟ ରକ୍ଷା କରାଯିବା ଆବଶ୍ୟକତା ରହିଛି । ବାହାର ଦେଶକୁ ରୋଜଗାର ଅନ୍ବେଷଣରେ ଯାଉଥିବା ଯୁବକଙ୍କ ପ୍ରତି ଧ୍ୟାନ ରଖାଯିବା ସହ ସେମାନଙ୍କ ପ୍ରତି ତୀକ୍ଷ୍ଣ ନଜର ରଖାଯିବା ଜରୁରୀ । ସେପଟେ ବିଦେଶରେ ଫସି ରହିଥିବା ଏହି ଯୁବକଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡିଛି ବୋଲି ଦାବି ହେଉଛି ।
ଇଟିଭି ଭାରତ, କେନ୍ଦ୍ରାପଡା