କେନ୍ଦ୍ରାପଡା: ଗରଦପୁର ବ୍ଲକର ଟିକନପୁର ସ୍କୁଲର ୩୬ ଶିଶୁଙ୍କୁ ଏକ୍ସପାଏରି କୃମି ଔଷଧ ବଣ୍ଟନ ଘଟଣାକୁ 5 ବର୍ଷ ପୂରିଛି । ଏପଟେ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ । ଏଥିସହ ଏଥିପ୍ରତି ସତର୍କ ନଥିବା ସରକାରଙ୍କ ଉପରେ ମୋଟା କ୍ଷତିପୂରଣ କଷିଛନ୍ତି ଜାତୀୟ ମାନବାଧିକାର କମିଶନ ।
ଏହି ଘଟଣା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅହେତୁକ ଅବହେଳାକୁ ପଦାରେ ପକାଇଛି । ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦାୟିତ୍ବହୀନତାରୁ ଏତେ ଶିଶୁ ଅସୁସ୍ଥ ହୋଇଛନ୍ତି । ଏ ନେଇ ତଥ୍ୟ ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମାନବାଧିକାର କମିଶନ । ଏଥିସହ ସମସ୍ତ ୩୬ ଅସୁସ୍ଥ ଶିଶୁଙ୍କୁ 10 ଲକ୍ଷ ଲେଖାଁଏ କ୍ଷତିପୂରଣ କାହିଁକି ଦିଆଯିବ ନାହିଁ ? ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଛି ।
ଏହି ତ୍ରୁଟି ପାଇଁ ସରକାରଙ୍କୁ ଏବେ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଗଣିବାକୁ ପଡିବ । ଏଥିସହ ଏହି ଘଟଣାରେ ସମୃକ୍ତ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୪ ମସିହା ନଭେମ୍ବର ୫ରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାଙ୍କୁ କୃମି ନାଶକ ସିରପ୍ ଦେଇଥିଲେ । ଏହାକୁ ଖାଇବା ପରେ ବେହୁଳ ଗାଁର ବର୍ଷକରୁ ୧୦ ବର୍ଷ ବୟସର ୩୬ ପିଲା ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ବର ଆଦି ଲକ୍ଷଣ ଦେଖା ଦେଇଥିଲା । ପରେ ଜଣାପଡିଲା ଶିଶୁଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ (ଏକ୍ସପାଏରି) ସମାପ୍ତ ହୋଇସାରିଛି ।
ବିଭାଗୀୟ କର୍ମଚାରୀଙ୍କ ମନୋଭାବ ଯୋଗୁଁ ଏଭଳି ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଏର କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ସହ ଶିଶୁଙ୍କୁ କ୍ଷତିପୂରଣ ରାଶି ଦେବାକୁ କମିଶନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କମିଶନ ଏହାର ବିଚାର କରି ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଭାଗୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ ପିଲାଙ୍କୁ ଦିଆଯାଇଥିବା ଆଲବେଣ୍ଡାଜୋଲ୍ ସିରପର ବୈଧ ତାରିଖ ସମାପ୍ତ ହୋଇଯାଇଥିଲା । କିନ୍ତୁ ବିଭାଗୀୟ ଅଫିସରଙ୍କୁ ଘଣ୍ଟ ଘୋଡାଇବା ଲାଗି ଏଥିପାଇଁ ପରେ ଦିଆଯାଇଥିବା ରିପୋର୍ଟରେ ବିଭିନ୍ନ ଯୁକ୍ତି ଦର୍ଶାଯାଇଥିଲା ।
ଏନେଇ ନିକଟରେ ସରକାର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ, ଏଏନଏମ ଓ ଆଶାକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ଏହା ହୋଇଥାଇପାରେ ! କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି କି, ପିଲାଙ୍କୁ କେଉଁ ଔଷଧ ଦିଆଯିବ ସେ ନିଷ୍ପତ୍ତି ନେବା ଡାକ୍ତର ଓ ମେଡିକାଲ ଅଫିସରଙ୍କର । ତେଣୁ ଔଷଧର ବୈଧ ତାରିଖ ରହିଛି କି ନାହିଁ ତାହା ଯାଞ୍ଚ କରିବା ସେମାନଙ୍କ ଦାୟିତ୍ବ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।
ସେହିପରି ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ, ଗାଁର କିଛି ଲୋକ ଏହି ଏକ୍ସପାଏରି ଔଷଧ ମିଶାଇ ଦେଇଥାଇପାରନ୍ତି । କମିଶନ ସରକାରଙ୍କ ଏହି ଯୁକ୍ତିକୁ ଖାରଜ କରି କରିଛନ୍ତି । କହିଛନ୍ତି ଯେ, କୌଣସି ଗାଁର ଲୋକେ ସେମାନଙ୍କ ଶିଶୁଙ୍କୁ ଏକ୍ସାପାଏରି ଔଷଧ ଦିଆଯାଉ ବୋଲି ଚାହିଁବେ ନାହିଁ ।
ସେପଟେ କମିଶନ ତାଙ୍କ ଶୁଣାଣୀରେ କହିଛନ୍ତି କି, ସରକାରୀ ଅବେହଳା ଯୋଗୁଁ ଶିଶୁଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ଓ ସେମାନେ କ୍ଷତିପୂରଣ ପାଇବାକୁ ହକଦାର । ତେଣୁ ସରକାର ଉକ୍ତ ଅସୁସ୍ଥ ଶିଶିଙ୍କୁ କାହିଁକି କ୍ଷତିପୂରଣ ନଦେବେ, ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ଏଭଳି କଡା ଆଭିମୁଖ୍ୟ ଯୋଗୁଁ ସରକାରୀ ମହଲରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।
କେନ୍ଦ୍ରାପଡାକୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ