କେନ୍ଦ୍ରାପଡ଼ା: ବର୍ଷ ଶେଷ ହେଲା । ଆଉ କିଛିଦିନ ପରେ ବିଦାୟ ନେବ ୨୦୨୨ । ତେବେ ଏହି ବର୍ଷରେ ବିବାଦୀୟ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ସ୍ଥାନୀୟ ବିଧାୟକମାନଙ୍କ ସମ୍ପର୍କ ନରହିବା କାରଣରୁ ଅଧାରେ ଅନେକ ବିକାଶମୂଳକ କାର୍ଯ୍ୟ ଅଟକିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ।
୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁ ଲିଗାସୀକୁ ପ୍ରମାଣିତ କରିଥିଲେ ଏବେର ସାଂସଦ ତଥା ଅଭିନେତାରୁ ରାଜନେତା ସାଜିଥିବା ବିଜେଡି ନେତା ଅନୁଭବ ମହାନ୍ତି । ପ୍ରଥମ ବର୍ଷ ଯାହା ଯେମିତି କରି ନିର୍ବାଚନ ମଣ୍ଡଳୀରେ ନିଜର ଦକ୍ଷତାକୁ କିଞ୍ଚିତ ମାତ୍ରାରେ ପ୍ରତିପାଦିତ କରିଥିବା ବାବୁ ଅନୁଭବ ୨୦୨୦ କୋଭିଡ କାଳରେ ଦିଲ୍ଲୀରେ ରହିବା ଓ ବର୍ଷ ୨୦୨୧ରେ ସାଧାରଣ ଲୋକଙ୍କ ଠାରୁ ଦୂରରେ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା ।
ସାଂସଦ ଅନୁଭବଙ୍କୁ କୋଣଠେସା କରିଛନ୍ତି ବିଧାୟକ !
ତେବେ ବର୍ଷ ୨୦୨୨ରେ ଅନୁଭବ ନିଜ ଦଳର ବିଧାୟକମାନଙ୍କ ଦ୍ଵାରା ଉପେକ୍ଷିତ ହୋଇଥିବା ଅନେକ ସମୟରେ ଦେଖାଯାଇଛି । ଦଳୀୟ ସଭା, ସରକାରୀ କାର୍ଯ୍ୟକ୍ରମ ଏପରିକି ବିଭିନ୍ନ ବିକାଶୋନ୍ମୁଖି ଯୋଜନା କାର୍ଯ୍ୟକ୍ରମରୁ ନିଜକୁ ବହୁ ଦୂରରେ ରଖିଛନ୍ତି ଅନୁଭବ । କାରଣ ହେଉଛି ପାରିବାରିକ ବିବାଦ ଯୋଗୁଁ ତୃତୀୟ ମହଲାର କୋପ ଆଉ ରାତି ଅଧିଆ ୟୁଟ୍ୟୁବ ଭିଡ଼ିଓ ଜାରି ପାଇଁ ସାଂସଦଙ୍କ ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ବିଧାୟକମାନେ ସାଂସଦ ଅନୁଭବଙ୍କୁ କୋଣଠେସା କରିଥିବା କୁହାଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ରାସ୍ତାଘାଟ ନିର୍ମାଣ, ଶୀତଳ ଭଣ୍ଡାର ନିର୍ମାଣ, ଭିତରକନିକା ଜାତୀୟ ଉଦ୍ୟାନ, ଭୂତଳ ଜଳ ଯୋଗାଣ ଆଦି ବିଭିନ୍ନ ସମସ୍ୟା ରହିଥିବା ବେଳେ ଏନେଇ ସାଂସଦ ଦିନଟିଏ ହେଲେ ସଂସଦରେ ସ୍ୱର ଉଠାଉନଥିବା ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ।
ସାଂସଦ ପାଣ୍ଠିର ହୋଇନି ସୁବିନିଯୋଗ !
ଅନ୍ୟପଟେ ସାଂସଦ ପାଣ୍ଠିର ସୁବିନିଯୋଗ ପରିବର୍ତ୍ତେ ଏଥିରେ ବିଭିନ୍ନ ନିମ୍ନ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ଯେଉଁଠାରେ କି ବିଦ୍ୟୁତ ସଂଯୋଗ କିମ୍ବା କମ୍ପ୍ୟୁଟର ଶିକ୍ଷକ ନଥିବା ଅଭିଯୋଗ ହୋଇଛି । ତେବେ ସାଂସଦ ପାଣ୍ଠିର ସୁବିନିଯୋଗ କରାଯାଇଛି ନା ଏଥିରୁ କିଛି ପିସି କାରବାର ହୋଇଛି ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ବୁଦ୍ଧିଜୀବି । ଆହୁରିମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ପ୍ରଗତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା କଥା କହିଥିବା ସାଂସଦ ଅନୁଭବଙ୍କ କଥା କେଉଁଠି ରହିଲା ସେନେଇ ପ୍ରଶ୍ନ ଉଠିଛି । ବିଲେଇଙ୍କ ପିଠାକଳିରେ ମାଙ୍କଡର ଲାଭ ଭଳି ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଅପଡ଼ରୁ କେଉଁ ମାଙ୍କଡ଼ ଲାଭ ପାଉଛନ୍ତି ସେନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ।
ତେବେ କେବଳ ସାଂସଦ ପ୍ରଭାତ ସାମନ୍ତରାୟ ସମସ୍ତ ବିଧାୟକ ମାନଙ୍କ ଭିତରେ ସମନ୍ୱୟ ରକ୍ଷା କରି କାମ କରୁଥିବା ବେଳେ ତାଙ୍କ ପରଠାରୁ ସାଂସଦ ହୋଇଥିବା ବ୍ୟକ୍ତିବିଶେଷମାନେ ବିଧାୟକମାନଙ୍କ ମଧ୍ୟରେ ସମନ୍ୱୟ ରଖିବାରେ ଅସମର୍ଥ ହୋଇଛନ୍ତି ବୋଲି କହିଛି କଂଗ୍ରେସ । ସାଂସଦ ଓ ବିଧାୟକଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ୨୦୨୨ରେ କେନ୍ଦ୍ରାପଡ଼ା ଜିଲ୍ଲା ଯେଉଁଭଳି ବିକାଶ କରିବା କଥା ତାହା ହୋଇ ପାରିନଥିବା ବେଳେ ଯାତ୍ରୀବାହୀ ରେଳ, ମେଡ଼ିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଭଳି ଦାବି କେବଳ ଦାବିରେ ରହିଯାଇଥିବା ଦେଖାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା