କେନ୍ଦ୍ରାପଡ଼ା: ପୋଖରୀରେ ପାଣିରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ପାରିନୂଆପଡା ହାବଳଗଣ୍ଡ ପଞ୍ଚାୟତ ପାରିନୂଆପଡା ଗାଁରେ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ପାରିନୂଆପଡା ଗାଁର ହିମାଂଶୁ ଶେଖର ବେହୁରାଙ୍କର ତିନି ବର୍ଷର ଶିଶୁପୁତ୍ର ସାଇ ଶୁଭ୍ରାଂଶୁ ବେହୁରା ଖେଳୁଥିବାବେଳେ, ଘର ପାଖ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏନେଇ ସାଇ ନମିଳିବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ।
ଏନେଇ ଶେଷରେ ଘରପାଖ ପୋଖରୀରେ ସାଇର ମୃତଦେହ ଭାସୁଥିବାର ଦେଖିଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ସାଇକୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ସାଇକୁ ମୃତ ଘୋଷଣା କରିଥିଲେ । ଏନେଇ ରାଜକନିକା ପୋଲିସ ସାଇର ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ଇଟିଭି ଭାରତ,କେନ୍ଦ୍ରାପଡ଼ା