କେନ୍ଦ୍ରପଡା: ସରୁନି ଦାଦନ ଦୁଃଖ । ଲାଓସ ଦେଶରୁ ଆସିଲା ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା । ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାଇଥିବା ୩୦ ଜଣରୁ ଉର୍ଦ୍ଧ୍ବ ଶ୍ରମିକ ଯାଇ ସେଠାରେ ନିର୍ଯାତନା ଦିଆଯାଉଥିବା ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି । ନିଜ ଦେଶକୁ ଫେରାଇ ନେବାକୁ ସରକାରଙ୍କୁ କଲେ ଗୁହାରୀ । ନିଜ ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାର୍ଯ୍ୟ ଅନ୍ବେଷଣରେ ବିଦେଶକୁ ଯିଇଥିବା ଯୁବକମାନେ ଫସିଯାଇ ହଇରାଣ ହେଉଥିବା ନେଇ କଲେ ଭିଡିଓ ଜାରି । ସେପଟେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ କଲେ ଦାବି ।
ଅଧିକ ପଇସା ରୋଜଗାର କରିବା ଆଶାରେ ଲାଓସକୁ ଚାକିରି କରିବାକୁ ଯାଇ ଫସିଗଲେ 30ରୁ ଊର୍ଦ୍ଧ୍ବ ଯୁବକ । ଏହି ଯୁବକମାନେ ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । କେନ୍ଦ୍ରାପଡ଼ାର ରାଜକନିକା ଓ ଆଳିର 25ଜଣ ଯୁବକ ଏହି ଫସି ରହି ଉଦ୍ଧାର କରିବାକୁ ଅନୁରୋଧ ରହିଛନ୍ତି । ରାଜକନିକା ବ୍ଲକର କାଟଣାବଣିଆ, ଜୟନଗର,କୋଇଲିପୁର, ଦେଉଳତରା, ତ୍ରଲୋକ୍ୟପୁର ଅଞ୍ଚଳର ଓ ଆଳିର ପୋଡାମରେଇ ଅଞ୍ଚଳର ସଂଖ୍ୟାଧିକ ଯୁବକ ସେଠାରେ ଫସି ରହିଛନ୍ତି । ଗତ ତିନିମାସ ତଳେ ଜଣେ ଦଲାଲ ମାଧ୍ୟମରେ ଲାଓସ ଆଟାପଲାଓ ଅଞ୍ଚଳରେ ଏକ ପ୍ଳାଇଉଡ଼ କମ୍ପାନୀରେ କାମ କରିବା ପାଇଁ ଏହି ଯୁବକମାନେ ଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ.. ପୁଣି ଦାଦନ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର
ଭିଡିଓ ଜରିଆରେ ଶ୍ରମିକମାନେ କହିଛନ୍ତି, ‘‘ପ୍ଳାଇଉଡ଼ କମ୍ପାନୀରେ କାମ କରିବା ପାଇଁ ଆମକୁ ଏକ ଦଲାଲ ଏସିଆନ କଣ୍ଟ୍ରି ଲାଓସକୁ ଅଣିଥିଲା । ତେବେ କାମ କରିବାର କିଛିଦିନ ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଓ ଖାଇବାକୁ ନଦେଇ ହଇରାଣ କରୁଥିଲେ । ଆପତ୍ତି କରୁବାରୁ ମାଡ଼ ମାରିବା ସହ ପାସପୋର୍ଟ କମ୍ପାନୀ କର୍ମଚାରୀ ଛଡାଇ ନେଇଯାଇଥିଲେ । ଦରମା ମାଗିଲେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି । ଦେହ ଖରାପ ହେଲେ ମଧ୍ୟ ମେଡିକାଲ ଯିବାକୁ ଦିଆଯାଉ ନାହିଁ । ଦିନକୁ ମାତ୍ର ଗୋଟିଏ ଓଳିର ଖାଇବା ଦିଆଯାଉଛି । ଦରମା ନଦେବା କାରଣରୁ ଏଠି ରହିବା କଷ୍ଟ କର ହୋଇ ପଡିଛି । ତେଣୁ ସରକାର ତୁରନ୍ତ ଆମ ଗୁହାରୀ ଶୁଣିବା ସହ ଉଦ୍ଧାର ପାଇଁ ସାହାୟତା ପଠାନ୍ତୁ ।’’
ସେପଟେ ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେପି ଓ କଂଗ୍ରେସ । ଏହାସହ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା