କେନ୍ଦ୍ରାପଡ଼ା: ସେପ୍ଟେମ୍ବର ୧୫ ତାରିଖ ଗୁଳିକାଣ୍ଡ ଘଟଣା । ମାର୍ଶାଘାଇ ଥାନାଠାରୁ ମାତ୍ର ୫୦୦ ମିଟର ବ୍ୟବଧାନରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ୧ ମାସ ପରେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ କିଛି ମାରଣାସ୍ତ୍ର ଜବତ ହୋଇଛି । ତେବେ ଏ ନେଇ କେନ୍ଦ୍ରାପଡ଼ା ଏସପି ମଦକର ସନ୍ଦୀପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ମାସ ୧୫ ତାରିଖରେ କେନ୍ଦ୍ରାପଡା IDFC ବ୍ୟାଙ୍କର କର୍ମଚାରୀ ତଥା ଭଦ୍ରକ ଜିଲ୍ଲାର ରଘୁନାଥ ବେହେରା ତେରଗାଁରୁ ଫେରୁଥିଲେ । ଏହି ସମୟରେ କାନପୁର ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ଗାଡ଼ିରେ ଆସି ଫାଙ୍କା ଗୁଳି ଚଳାଇଥିଲେ । ଭୟଭୀତ ହୋଇ ରଘୁନାଥ ଗାଡି ରଖିଦେବା ପରେ ଏହି ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରୁ ସମସ୍ତ କାଗଜପତ୍ର ନେଇଯିବା ସହ ନଗଦ ଅର୍ଥ ନ ମିଳିବାରୁ ପୁଣିଥରେ ଗୁଳି ଚଳାଇଥିଲେ ।
ଏହା ବି ପଢନ୍ତୁ- ମାର୍ଶାଘାଇରେ ଫୁଟିଲା ଗୁଳି, ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍
ରଘୁନାଥ ବେହେରା ମାର୍ଶାଘାଇ ଥାନା ଯଦୁପୁର ଗାଁକୁ କୌଣସି କାମରେ ଯାଇ କେନ୍ଦ୍ରାପଡ଼ା ଫେରୁଥିଲେ । ସେ ପାରାଦ୍ବୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର କାନପୁର ଛକ ନିକଟରେ ହୋଇଥିବା ବେଳେ ହଠାତ ଏକ କଳା ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳି ଫୁଟାଇ ରଘୁନାଥଙ୍କୁ ଅଟକାଇଥିଲେ । ସୌଭାଗ୍ୟବଶତଃ ରଘୁନାଥ ବଞ୍ଚି ଯାଇଥିବା ବେଳେ ଏନେଇ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଏସପିଙ୍କ ନିର୍ଦ୍ଦେଶକ୍ରମେ ମାର୍ଶାଘାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନଙ୍କର ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଲୁଟ, ଡକାୟତି, ରାହଜାନୀ ଓ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ମାନେ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ସୁଜାନଗର ଗାଁର ଚୁନା ଖାନ, ଗରାପୁରର ଆବି ଜାଫର ଖାନ, ଖୁର୍ସିଦ ଖାନ, ସନ୍ତୋଷ ବେହେରା ଓ ମାର୍ଶାଘାଇ ଥାନା କଳାଗଡ଼ ଗାଁର ରଞ୍ଜନ ରାଉତ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ, ଡ୍ରାଇଭିଂ ଲାଇସେନ୍ସ ସମେତ IDFC ବ୍ୟାଙ୍କର ଡେବିଟ କାର୍ଡ ଜବତ କରିଛି ପୋଲିସ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା