କେନ୍ଦ୍ରାପଡ଼ା: ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସ୍ୱତ୍ତ୍ବେ ଏବେ ବି କିଛି ଲୋକ କୁସଂସ୍କାରକୁ ଜାବୁଡି ଧରିଛନ୍ତି । ଅନ୍ଧବିଶ୍ୱାସ କବଳରେ ପଡି ନର ହତ୍ୟାପରି ବୀଭତ୍ସ କାଣ୍ଡ ଘଟାଇବାକୁ ପଛାଉ ନାହାଁନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଉଛନ୍ତି ବନ୍ତପାଟଣା ଗ୍ରାମର ମଣିଚରଣ ସାହୁ । ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ତପାଟଣା ହରନବାବି ଗ୍ରାମର ମଣିଚରଣ ସାହୁ ଗତ ରବିବାର ରାତିରେ ଘରେ ଶୋଇଥିଲେ । ଏତିକି ବେଳେ ପଡ଼ୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା କବାଟ ଭାଙ୍ଗି ଘରେ ପଶି ଶାବଳରେ ମଣିଚରଣଙ୍କୁ ଆକ୍ରମଣ କରିଥିଲେ । ଫଳରେ ମଣିଚରଣ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଡାହାଣୀ ସନ୍ଦେହରେ ତାଲିବାନୀ ଅତ୍ୟାଚାର ! ମା’ ଓ ଝିଅକୁ ନିସ୍ତୁକ ମାଡ ମାରି ଗାଁରୁ କଲେ ବାସନ୍ଦ
ଏନେଇ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ମାମଲା ୪୫୦/୨୩ ରୁଜୁ କରି ଘଟଣାର ତଦନ୍ତ କରୁଛି । ଏନେଇ ମୃତକଙ୍କ ଭଉଣୀ କହିଛନ୍ତି, ମଣିଚରଣ ରାତିରେ କାମ ସାରି ଘରକୁ ଆସି ଶୋଇଥିଲା । ହଠାତ ରାତି ୧୧ଟା ସମୟରେ ଅଜୁ ମହାରଣା ଓ ତାଙ୍କ ଦୁଇ ଭାଇ ଆସି ନିର୍ମମ ହତ୍ୟା କରିଛନ୍ତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।" ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୁଣି ଗାରେଡି ସନ୍ଦେହର ନିଆଁରୁ ଏପରି ଘଟଣା ଘଟିଛି ବୋଲି ଆଲୋଚନା ହେଉଛି । ହରନବାବି ଗାଁରେ ଏପରି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁଣି ଗାରେଡି ସନ୍ଦେହକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହତ୍ୟା ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସର ତଦନ୍ତ ପରେ ପୁରା ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ ବାମଦେବ ନନ୍ଦ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା