କେନ୍ଦ୍ରାପଡ଼ା: ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆଜି ବି ଏକ ସ୍ବପ୍ନ ପାଲଟିଛି । ବହୁ ବାଦ ବିବାଦ ଆଉ ତାପରେ କେନ୍ଦ୍ରାପଡା ମଧ୍ୟଦେଇ ଗତବର୍ଷ ହରିଦାସପୁର-ପାରାଦ୍ୱୀପ ଗଡ଼ିଥିଲା ପ୍ରଥମ ମାଲବାହୀ ରେଳଗାଡ଼ି । ହେଲେ ଆମ୍ବ ଦେଖାଇ ଆମ୍ବେଡ଼ା ଦେବା ନୀତି ଯୋଗୁଁ କେନ୍ଦ୍ରାପଡ଼ାବାସୀ ଟ୍ରେନ ସିନା ଦେଖିଲେ ହେଲେ ଏଯାଏଁ ବସି ପାରିଲେ ନାହିଁ ।
୨୦୨୦ ଜୁଲାଇ ୩୧ ତାରିଖରେ ପ୍ରଥମଥର ପାଇଁ ଏକ ମାଲବାହୀ ଟ୍ରେନ ପାରାଦ୍ୱୀପରୁ ହରିଦାସପୁରକୁ ଗଡ଼ିଥିଲା । ତେବେ କେନ୍ଦ୍ରାପଡ଼ା ମାର୍ଶାଘାଇ ନୂଆଗାଁ ଷ୍ଟେସନରେ ସାଧାରଣ ଲୋକ ଏହି ଟ୍ରେନକୁ ଅଟକାଇ ଦେଇଥିଲେ । ଜିଲ୍ଲାରେ ପ୍ରଥମେ ଯାତ୍ରୀବାହୀ ରେଳ ଗଡ଼ିବା ପରେ ହିଁ ମାଲବାହୀ ଟ୍ରେନ ଚଳାଚଳ କରିବ ବୋଲି ଦାବି କରିଥିଲେ ଲୋକେ । ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ମିଳିତ ଆଲୋଚନା ପରେ ଖୁବଶୀଘ୍ର ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିଶ୍ରୁତିକୁ ଏକ ବର୍ଷ ପୂର୍ତ୍ତି ହୋଇଥିଲେ ସୁଦ୍ଧା କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଯାତ୍ରୀବାହୀ ରେଳ ଦେଖିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି । ଜିଲ୍ଲାକୁ ଅତିଶୀଘ୍ର ଯାତ୍ରୀବାହୀ ରେଲଗାଡି ଚଳାଚଳ ପାଇଁ ରାଜନେତାମାନେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିବା କଥା କହିଛନ୍ତି । ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରଯାଇଥିବା କଥା କହିଛନ୍ତି ।
ଦୀର୍ଘ ୮୨ କିଲୋମିଟରର ହରିଦାସପୁର-ପାରାଦ୍ୱୀପ ରେଳପଥ । କେବଳ କେନ୍ଦ୍ରାପଡ଼ାରେ ୪୫ କିମି ରହିଛି ଏହି ନବନିର୍ମିତ ରେଳପଥ । ପଡ଼ୋଶୀ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅର୍ଥନୀତି ଏହି ରେଳପଥ ଯୋଗୁଁ ସୁଦୃଢ଼ ହେଉଥିବା ବେଳେ କେନ୍ଦ୍ରାପଡ଼ାବାସୀଙ୍କୁ ଏହାର ଫାଇଦା ମିଳି ପାରିନଥିବା ଅଭିଯୋଗ ହୋଇଛି । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଲଗାଡି ଚାଲିଲେ ଜିଲ୍ଲା ଶିଳ୍ପ ସମୃଦ୍ଧ ହେବା ସହ ଯାତାୟାତ ସହଜ ହୋଇ ପାରିବ ।
ହରିଦାସପୁର ଏବଂ ଭଦ୍ରକରୁ ପାରାଦ୍ୱୀପ ଭାୟା ହରିଦାସପୁର ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଛନ୍ତି କେନ୍ଦ୍ରାପଡ଼ାବାସୀ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛକାପଞ୍ଝା ନୀତି ଯୋଗୁଁ କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ରେଳ ଚଳାଚଳ ହୋଇ ପାରିନଥିବା ଅଭିଯୋଗ ହୋଇଛି । ପରସ୍ପର ଉପରେ ଦୋଷାରୋପ କରି ରାଜନୈତିକ ଦଳ ଗୁଡିକ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ପ୍ରୟାସ କରୁଛନ୍ତି । ଏହି ଚକ୍ରବ୍ୟୁହରୁ ବାହାରି କେବେ ଜିଲ୍ଲାରେ ଯାତ୍ରୀବାହୀ ରେଳ ଗଡ଼ିବ ସେଦିନକୁ ସମସ୍ତଙ୍କ ଅପେକ୍ଷା।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ