କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ କେନ୍ଦ୍ରାପଡାର କମଳା ମହାରଣାଙ୍କ ନାମ। ଗତକାଲି 98ତମ "ମନ କି ବାତ" କାର୍ଯ୍ୟକ୍ରମରେ କମଳାଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ। ବର୍ଜ୍ୟବସ୍ତୁରୁ ଘର ସଜା ସାମଗ୍ରୀ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି କମଳା। କମଳା ମହାରଣାଙ୍କ ଘର କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁରେ। ବୟସ 63 ହୋଇଥିବା ବେଳେ ଆଖିକୁ ଠିକ ସେ ଦିଶିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି । ଏହି ବୟସରେ ବି ସେ ପଲିଥିନକୁ ପୁନଃ ବ୍ୟବହାର କରି ସେଥିରୁ ଡାଲା, ଚାଙ୍ଗୁଡ଼ି, ଶିକା, ଟୋପି ଇତ୍ୟାଦି ଘରସଜାଇବା ଭଳି ବିଭିନ୍ନ ସାମଗ୍ରୀ କରି ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ଫାଙ୍କା ସମୟରେ ନିଜ ଘରୁ ତଥା ଘର ବାହାରେ ପଡ଼ିଥିବା, ବିଭିନ୍ନ ପ୍ରକାରର ପଲିଥିନକୁ ଗୋଟାଇ ଆଣନ୍ତି କମଳା। ସେସବୁକୁ ସଫାକରିବା ପରେ ବସିପଡନ୍ତି ବୁଣାବୁଣି ଧନ୍ଦାରେ। ଏହି ବୁଣାବୁଣି କାମରେ ବ୍ୟବହୃତ ବେରୁହାଁ ଓ ଜୁଣକୁ ଧାନ କଟା ସମୟରେ ବିଲରୁ ଆଣି ରଖିଥାନ୍ତି କମଳା। କଟା ଯାଇଥିବା ଜରି ଭିତରେ ଜୁଣ ଓ ବେରୁହାଁ କୁ ଦେଇ ସୁତା ମାଧ୍ୟମରେ ଗୁଡ଼ାଇ ସେ ତିଆରି କରିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ। ଏକା ନୁହେଁ ନିଜ ସହ ପଡୋଶୀ ମହିଳା ମାନଙ୍କୁ ବି ଏଥିରେ ସାମିଲ କରି କିଛି ନାଁ କିଛି ରୋଜଗାରକ୍ଷମ କରାଇ ପାରିବାର ଲକ୍ଷ୍ୟ ରଖିଛନ୍ତି କମଳା ।
8 ବର୍ଷ ହେବ ପଲିଥିନରୁ ବିଭିନ୍ନ ସାମଗ୍ରୀ ତିଆରି କରି ଆସୁଛନ୍ତି କମଳା। ପ୍ରଥମେ କମଳାଙ୍କ ଏଭଳି ଜରି ଗୋଟାଇବାକୁ ନେଇ ସଭିଏଁ କମଳାଙ୍କ ସ୍ୱାମୀଙ୍କୁ ସେ ଜଣେ ପାଗିଳି ବୋଲି କହି ତାତ୍ସଲ୍ୟ କରୁଥିଲେ। କିନ୍ତୁ ଏହାକୁ ଭୂକ୍ଷେପ କରିନଥିଲେ କମଳାଙ୍କ ସ୍ୱାମୀ। ଶିକ୍ଷାରୁ ବଞ୍ଚିତ କମଳାଙ୍କ ପାଇଁ ଏହି ଅନାବନା ଜରିରେ ଜିନିଷ ତିଆରି କରିବା ଯେମିତି ଏକ ନିଶା ପାଲଟି ଯାଇଥିଲା। କମଳାଙ୍କ ହାତ ତିଆରି ସାମଗ୍ରୀ କେବଳ ଗାଁ ଗହଳି ନୁହଁ ବରଂ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳାରେ ମଧ୍ୟ ଦେଖିବାକୁ ମିଳେ। ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ କମଳାଙ୍କ ଷ୍ଟଲରେ ପ୍ରଥମ କରି ଭିଡ଼ ପରିଲିକ୍ଷିତ ହୋଇଥିଲା। ଲୋକେ କମଳାଙ୍କ ହାତ ତିଆରି ସାମଗ୍ରୀକୁ ବେଶ ପ୍ରଶଂସା ମଧ୍ୟ କରିଥିଲେ ।
ଅନ୍ୟପଟେ ରାଜ୍ୟ ସରକାର, ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଅନେକ ଯୋଜନା କରୁଥିବା ବେଳେ ସେସବୁ ଯୋଜନା କମଳାଙ୍କ ପାଖରେ ପହଞ୍ଚି ପାରିନି। କୌଣସି ସ୍ୱୟଂ ସହାୟିକା ଗୋଷ୍ଠୀରୁ ଟଙ୍କାଟିଏ ବି ଋଣ ନନେଇ ନିଜ କୌଶଳ ବଳରେ ନିଜ ସହ ନିଜ ପଡୋଶୀ ମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି ସେ। ତେବେ ଆଗାମୀ ଦିନରେ ସରକାର ଏ ଦିଗରେ ଦୃଷ୍ଟି ଦେଲେ ମିଶନ ଶକ୍ତି ଜରିଆରେ କମଳାଙ୍କୁ କିଛି ପ୍ରୋତ୍ସାହନ ଯୋଗାଇଲେ ଓ ହାତ ତିଆରି ସାମଗ୍ରୀର ବଜାରିକରଣ କରାଇପାରିଲେ ଏହି ସାମଗ୍ରୀକୁ ରାଜ୍ୟ ବାହାରେ ଆଦୃତ କରିପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି କମଳା । ଏଥିସହ କମଳାଙ୍କୁ ପ୍ରଂଶସା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ଗାଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।
ଇଟିଭି ଭାରତ, କେନ୍ଦ୍ରାପଡା