କେନ୍ଦ୍ରାପଡା: ପ୍ରକୃତି ପ୍ରେମୀ ରାଜେନ୍ଦ୍ର ଲେଙ୍କା । ସରକାରୀ ସାହାଯ୍ୟ ବିନା ନିଜ ମୂଲ ପଇସାରେ ଗଛ ଲଗାନ୍ତି ରାଜେନ୍ଦ୍ର । ସେଥିପାଇଁ ତାଙ୍କୁ କେହି ଗଛ ମଣିଷ ତ ଆଉ କେହି ଗଛରାଜ କୁହନ୍ତି । 2012 ମସିହାରୁ ରାଜେନ୍ଦ୍ର ଅନ୍ୟୁନ 10 ହଜାରରୁ ଊର୍ଦ୍ଧ୍ବ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି । ଏନେଇ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ରାଜେନ୍ଦ୍ର ଲେଙ୍କା ଓରଫ ଟେରୁଙ୍କ ଅଧ୍ୟବସାୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।
ଏହାମଧ୍ୟ ପଢନ୍ତୁ: ନିଆରା ମଣିଷ ରାଜେନ୍ଦ୍ର: ନିଶା ଗଛ ଲଗାଇବା, ଲକ୍ଷ୍ୟ ପରିବେଶ ସନ୍ତୁଳନ ରକ୍ଷା କରିବା
ଜିଲ୍ଲାପାଳ କହିଛନ୍ତି, ରାଜେନ୍ଦ୍ରଙ୍କୁ ଅଧିକରୁ ଅଧିକ ବନୀକରଣ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ଏଥିସହ ପ୍ରକୃତି ମିତ୍ର ଏବଂ ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ରାଜେନ୍ଦ୍ରଙ୍କ ନାମକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ରାଜେନ୍ଦ୍ର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତ ଅନ୍ତର୍ଗତ ମାଳପାଟଣା ଗାଁରେ ରାଜେନ୍ଦ୍ର ଲେଙ୍କା ଓରଫ ଟେରୁଙ୍କ ଘର । ସେ ଟଙ୍କାଟିଏ ସରକାରୀ ସାହାଯ୍ୟ ବିନା ନିଜ ମୂଲ ପଇସାରେ ଗଛ ଲଗାଉଛନ୍ତି ଏବଂ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି । ରାଜେନ୍ଦ୍ରଙ୍କ ମତରେ, ଗୋଟିଏ ମଣିଷ ପାଇଁ ଗୋଟିଏ ଗଛର ଆବଶ୍ୟକତା ରହିଛି ଏବଂ ଏହି ଗଛ ଲଗାଇବା ଦ୍ବାରା ଅମ୍ଳଜାନର ଅଭାବ ରହେନାହିଁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ