କେନ୍ଦ୍ରାପଡା: ଇଟିଭି ଭାରତ ପ୍ରଭାବ । ଭଗ୍ନପ୍ରାୟ ଅବସ୍ଥାରେ ଥିବା ସଂସ୍କୃତି ଭବନର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ । ସାଢ଼େ ଚାରିକୋଟି ଅର୍ଥ ବ୍ୟୟରେ ହୋଇଥିବା ସଂସ୍କୃତି ଭବନର ହେବ ମରାମତି । ପରବର୍ତ୍ତୀ ସମୟରେ ଅଡିଓ ଏବଂ ଲାଇଟ ସିଷ୍ଟମ କରାଯାଇ ଜିଲ୍ଲାର ଐତିହ୍ୟ, ପରମ୍ପରା ସମ୍ବନ୍ଧରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ସୂଚନା ମିଳିଛି ।
ଚଳିତମାସ 3ତାରିଖରେ ଇଟିଭି ଭାରତରେ 'ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟିନେଲେଣି ଦୁର୍ବୃତ୍ତ' ଶୀର୍ଷକ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଜିଲ୍ଲାପାଳ ନିଜେ ଉକ୍ତ ସଂସ୍କୃତି ଭବନ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ ପାଇଁ ରହିଥିବା ନାନାବିଧ ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଏହାର ପୁନଃରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ସାଢ଼େ ଚାରିକୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ସଂସ୍କୃତି ଭବନକୁ 2018 ମସିହାରେ ତତ୍କାଳୀନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଥିଲେ ।
ପଢନ୍ତୁ: ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟିନେଲେଣି ଦୁର୍ବୃତ୍ତ
ତେବେ ରାଜନୈତିକ ବାଦବିବାଦ ସହ ପ୍ରଶାସନିକ ସ୍ଥାଣୁତା କାରଣରୁ ଏହା ଅବହେଳିତ ହୋଇ ପଡ଼ିଥିବା ଖବର ଇଟିଭି ଭାରତରେ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ସଂସ୍କୃତି ଭବନରେ ରଙ୍ଗକାର୍ଯ୍ୟ ଚାଲୁ ରହିଥିବାବେଳେ ଆସନ୍ତା ଦୁଇ ତିନିମାସ ମଧ୍ୟରେ ଲାଇଟ ଓ ସାଉଣ୍ଡ ସିଷ୍ଟମ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହିତ ସଂସ୍କୃତି ବିଭାଗ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ଯୋଜନା କରିଛି ଜିଲ୍ଲା ପ୍ରଶାସନ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ