କେନ୍ଦ୍ରାପଡ଼ା : ସମ୍ଭାବ୍ୟ ବାତ୍ୟା ଆସାନୀର ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା । ଆସାନୀ ସମ୍ପର୍କିତ ସଠିକ ତଥ୍ୟ ଏଯାବତ ପାଣିପାଗ ବିଭାଗ ସ୍ପଷ୍ଟ କରିନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବାତ୍ୟା ପୂର୍ବରୁ ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ରାଜନଗର ଓ ମହାକାଳପଡ଼ା ବ୍ଲକର ଅନ୍ୟୁନ ୫୯ଟି ପଞ୍ଚାୟତ ବିଭିନ୍ନ ବାତ୍ୟା ସମୟରେ ପ୍ରଭାବିତ ହେଉଥିବାରୁ ସମୁଦ୍ର ନିକଟବର୍ତ୍ତୀ ପଞ୍ଚାୟତ ଗୁଡିକରେ ବିଶେଷ ଫୋକସ ରଖିଛି ଜିଲ୍ଲା ପ୍ରଶାସନ ।
କୃଷକମାନଙ୍କୁ ଚାଷ ପାଇଁ ଏବେ ପ୍ରସ୍ତୁତ ନହେବାକୁ କୃଷକ ସାଥିମାନଙ୍କ ଦ୍ୱାରା ସତର୍କ କରାଯାଇଛି । ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବାବେଳେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବା ନେଇ ମାଇକ୍ ମାଧ୍ୟମରେ ସୂଚନା ଦିଆଯାଉଛି । ବର୍ତ୍ତମାନ ବାତ୍ୟା ସମ୍ପର୍କରେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ସୂଚନା ନାହିଁ, ତେଣୁ ଲୋକମାନଙ୍କୁ ଅଯଥା ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ତେବେ ଓସଡମା ପକ୍ଷରୁ ଜିଲ୍ଲାରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ଅଧିକ ଭାବେ ୯୩୬ଟି ବିଦ୍ୟାଳୟ ଗୃହକୁ ପ୍ରସ୍ତୁତ ରଖାଯାଇଛି । ଏହି ବିଦ୍ୟାଳୟ ଗୁଡିକରେ ଆଶା, ଅଙ୍ଗନବାଡି କର୍ମୀଙ୍କ ସମେତ ଦୁଇଜଣ ଲେଖାଏଁ ଶିକ୍ଷକ ଦାୟିତ୍ଵରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିସହ ୨୭୦ ଜଣ ଆସନ ପ୍ରସବ ମହିଳାଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆସିବା ପୂର୍ବରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏସଆରସି ଏବଂ ରାଜ୍ୟ ସରକାରଙ୍କ ପାଖରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁଯାୟୀ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟଜଳ ଭଳି ବିଭାଗକୁ ଯୁଦ୍ଧ କାଳୀନ ଭିତ୍ତିରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ରହିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ