କେନ୍ଦ୍ରାପଡା: ଗିରଫ 2 ଡାକ୍ତରଙ୍କୁ ଛାଡିଲା ପୋଲିସ । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସକୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ଦୁଇ ଡାକ୍ତର ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କୁ ନିସର୍ତ୍ତ ଭାବେ ପୋଲିସ ଛାଡି ଦେଇଛି । ଏହି ଘଟଣା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି ଓଏମଏସଏ ଜିଲ୍ଲା ଶାଖା ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଏବଂ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସମ୍ପୃକ୍ତ ସାମ୍ବାଦିକ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟାଉନ ଥାନା ଅଧିକାରୀ ନର୍ସିଂହୋମରେ ପହଞ୍ଚିବା ପରେ ଦୁଇ ଡାକ୍ତର ଓ ତାଙ୍କ ସହଯୋଗୀ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଏହି ଘଟଣାରେ ଦୁଇ ଜଣ ପୋଲିସ ଏବଂ ସାମ୍ବାଦିତ ଆହତ ହୋଇଥିଲେ । ପରେ ଘଟଣାକୁ ନେଇ ଦୁଇ ଡାକ୍ତରଙ୍କୁ ଗିରଫ କରିଥିଲେ ଟାଉନ ଥାନା ପୋଲିସ ।
ତେବେ ଦୁଇ ଡାକ୍ତରଙ୍କୁ ପୋଲିସ ନିସର୍ତ୍ତରେ ଛାଡିଦେଇଥିବା ବେଳେ ଡାକ୍ତରଙ୍କ ହାନି ହୋଇଥିବା ସମ୍ମାନର ମୂଲ୍ୟ ସ୍ୱରୂପ ଯେଉଁ ପୋଲିସ ଅଧିକାରୀ ତାଙ୍କୁ ରାତିସାରା ଖାଇବାକୁ ନଦେଇ ଅର୍ଦ୍ଧ ଉଲଗ୍ନ ରଖିଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଥିଲା ଓଏମଏସଏ ଜିଲ୍ଲା ଶାଖା ।
ଶନିବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରି ରୋଗୀ ସେବା ଜାରି ରଖିବା ସହ ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କୁ ଅଧିକ କଷ୍ଟ ଦେବା ଠିକ ନୁହେ ଅନୁଭବ କରିଛି ସଙ୍ଘ। ଫଳସ୍ୱରୂପ ଏହି ଆନ୍ଦୋଳନକୁ ସ୍ଥଗିତ କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଛି ଜିଲ୍ଲା ସଙ୍ଘ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ