କେନ୍ଦ୍ରାପଡ଼ା: ସମ୍ପତ୍ତି ଠୁଳ କରିଥିବା ବ୍ୟକ୍ତିଙ୍କ ମନରେ ଛନକା । ଆୟକର ରିଟର୍ଣ୍ଣ ନଦେଇ ଖସି ଯାଉଥିବା ବଡ଼ବଡ଼ିଆଙ୍କୁ ଟାର୍ଗେଟ କରିଛି ବିଭାଗ । ଆଜି(ବୁଧବାର) ସକାଳ ୫ରୁ କେନ୍ଦ୍ରାପଡ଼ା ତାଳଚୁଆ ଥାନା ଅଧିନରେ ରହୁଥିବା ତିନିଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରୁଛି ଆୟକର ବିଭାଗ (Income Tax Raid in Talachua) । ତାଳଚୁଆ ଅଞ୍ଚଳର ମଦନ ଦେବନାଥ, ଅମଲ ପ୍ରଧାନ ଓ ସୁଜେସ ମଣ୍ଡଳ ନାମକ ତିନିଜଣ ବ୍ୟବସାୟୀଙ୍କ ଘରେ ଚଢ଼ାଉ ଜାରି ରହିଛି ।
ଆୟକର ବିଭାଗର ୧୦ରୁ ଊର୍ଦ୍ଧ୍ବ ସଦସ୍ୟ ବିଶିଷ୍ଟ ଏହି ତିନୋଟି ଟିମ ଚଢ଼ାଉ କରୁଛନ୍ତି । ସୂଚନାଯୋଗ୍ୟ, ମଦନ ଦେବନାଥ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ନାମରେ ଏକ ତେଲ ଟାଙ୍କି, ୩୦ରୁ ଊର୍ଦ୍ଧ୍ବ ମାଛଧରା ଟ୍ରଲର ରହିଛି । ସେହିପରି ସୁଜେସ ମଧ୍ୟ ଜଣେ ବଡ ମତ୍ସ୍ୟ ବ୍ୟବସାୟୀ ଅଟନ୍ତି । ଅମଲ ପ୍ରଧାନଙ୍କର ଟ୍ରଲର ଗତ କିଛିଦିନ ତଳେ ଗଭୀର ସମୁଦ୍ରରେ ବୁଡି ଯାଇଥିବା ସମୟରେ କିଛି ମତ୍ସ୍ୟଜୀବୀଙ୍କୁ ମେରାଇନ ପୋଲିସ ଉଦ୍ଧାର କରିଥିଲା । ଅନ୍ୟ ଜଣଙ୍କର ଆଜି ଯାଏଁ ପତ୍ତା ମିଳିନାହିଁ ।
ଏହା ମଧ୍ୟ ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡି ଧକ୍କାରେ ହୋମଗାର୍ଡ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ତେବେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସକାଳୁ ସକାଳୁ ଏଭଳି ଆୟକର ଚଢ଼ାଉକୁ ନେଇ ଅସାଧୁ ବ୍ୟବସାୟୀଙ୍କ ଛାତିରେ ଛନକା ପଶିଛି । ଏନେଇ ବିଭାଗର ସଦସ୍ୟଙ୍କ ମତାମତ ଲୋଡିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ତଥ୍ୟ ଦେବାକୁ ଅମଙ୍ଗ ହୋଇଛନ୍ତି । ଅନ୍ୟପଟେ ମଦନ ଦେବନାଥଙ୍କ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ଥିବା ବିଭିନ୍ନ ବ୍ୟବସାୟୀକ କେନ୍ଦ୍ର ଉପରେ ଆୟକର ବିଭାଗ ଚଢ଼ାଉ କରୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା