କେନ୍ଦ୍ରାପଡା: ଜିଲ୍ଲା 53 ନମ୍ବର ଜାତୀୟ ରାଜପଥରେ ଯାନବାହାନ ଯାଞ୍ଚ କରୁଥିବାବେଳେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ଏକ ପିକଅକ ଭ୍ୟାନ ତାଙ୍କ ଧକ୍କା ଦେବା ଫଳରେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବହନ ବିଭାଗର ଦାୟିତ୍ବହୀନତା ପାଇଁ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । କେନ୍ଦ୍ରାପଡା ବଲଭଦ୍ରପୁରଠାରେ ଗତକାଲି (ବୁଧବାର) ଗାଡି ଚେକିଂ ବେଳେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ଘଟଣା ନେଇ ପରିବହନ ବିଭାଗକୁ ଦାୟୀ କରିଛନ୍ତି ପରିବାର । ଦୀର୍ଘ 45 ମିନିଟ ଧରି ରାସ୍ତା ଛଟପଟ ହୋଇଥିଲେ ବି ହୋମଗାର୍ଡ ଭାବେ କାର୍ଯ୍ୟରତ ପ୍ରବୀରଙ୍କୁ ଡାକ୍ତରଖାନା ନିଆଯାଇ ନଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା (home guard died during checking ) । ଏନେଇ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରିଥିଲେ ପରିବାର । କ୍ଷତିପୂରଣ ଦାବି ହୋଇଛି ।
ସୂଚନାନୁଯାୟୀ, ପ୍ରବୀର ପ୍ରତିଦିନ ଭଳି ବୁଧବାର ସକାଳୁ ଡ୍ୟୁଟିକୁ ଆସିଥିଲେ । ଏକ ଟିମ ଡେରାବିଶ୍ ଥାନା ଅନ୍ତର୍ଗତ ବଳଭଦ୍ରପୁର-ଲକ୍ଷ୍ମୀନାରାୟଣପୁର ରାସ୍ତା ମଝିରେ ଗାଡ଼ିଗୁଡିକ ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଟାଟା ACE ହଠାତ୍ ପ୍ରବୀରଙ୍କ ଉପରକୁ ମାଡିଯାଇ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଦୁର୍ଘଟଣା ପରେ ପ୍ରବୀର ଦୀର୍ଘ ୪୫ ମିନିଟ କାଳ ଛଟପଟ ହେଉଥିବା ବେଳେ ପ୍ରବୀର ଯାଇଥିବା ଅଧିକାରୀଙ୍କ ଗାଡି ସେଠାରୁ ଛୁ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଦୀର୍ଘ ସମୟ ମୃତ୍ୟୁ ସହ ସଂଗ୍ରାମ କରି ଶେଷକୁ ପ୍ରବୀର ହାରି ଯାଇଥିଲେ । ଏହାକୁ ନେଇ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଥିଲା । ପ୍ରବୀରଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଉପରେ ମୃତଦେହକୁ ରଖି ତୁରନ୍ତ ପରିବହନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ପ୍ରବୀରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରି ରାସ୍ତାରୋକ କରିଥିଲେ।
ଏହା ବି ପଢନ୍ତୁ...ଯାଞ୍ଚ ବେଳେ ଗାଡି ଧକ୍କାରେ ହୋମଗାର୍ଡ ମୃତ, ଘଟଣାସ୍ଥଳରେ ଉତ୍ତେଜନା
କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧିନରେ ପଞ୍ଚୁପାଣ୍ଡଵ ଛକ ଠାରୁ ଭୂତମୁଣ୍ଡାଇ ଛକ ପର୍ଯ୍ୟନ୍ତ ଦୀର୍ଘ ୫୦ କିଲୋମିଟର ରାସ୍ତା ରହିଥିବା ବେଳେ କେବଳ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଯେଉଁଠାରେ କି ଦୁର୍ଘଟଣା ଘଟିଛି ସେଠାରେ କାହିଁକି ଏଭଳି ପ୍ରତିଦିନ ଯାଞ୍ଚ କରାଯାଉଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣାକୁ କିନ୍ତୁ ହାଲୁକା ଢଙ୍ଗରେ ଗ୍ରହଣ କରିଛନ୍ତି ପରିବହନ ଅଧିକାରୀ । ଟିଆଇ ରାଜନାରାୟଣ ସ୍ବାଇଁଙ୍କ ଦ୍ବାରା ଏନଫୋର୍ସମେଣ୍ଟ ଚେକିଂ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ କହୁଥିବା ବେଳେ ଦୀର୍ଘ ସମୟ ଛଟପଟ ହେଉଥିଲେ ସୁଦ୍ଧା କାହିଁକି ପ୍ରବୀରଙ୍କୁ ମେଡିକାଲ ନିଆଗଲା ନାହିଁ ବୋଲି ପ୍ରଶ୍ନରେ ନୀରବ ରହିବା କେଉଁଠି ନା କେଉଁଠି ବିଭାଗୀୟ ଦାୟିତ୍ବହୀନତାକୁ ପ୍ରତିପାଦିତ କରୁଛି ।
ଦୁର୍ଘଟଣା ଘଟିଥିବା ସ୍ଥଳରୁ ଆହତ ଓ ଗୁରୁତରଙ୍କୁ ମେଡିକାଲ ପହଞ୍ଚାଇଲେ "Good Samaratian" ପୁରସ୍କାର ସହ ମନୋବଳ ବୃଦ୍ଧି ପାଇଁ ଆର୍ଥିକ ସହାୟତା ଦେଉଥିବା ବିଭାଗର ବଡ଼ପଣ୍ଡା ମାନେ କାହିଁକି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ସେନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଡେରାବିଶ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା