କେନ୍ଦ୍ରାପଡା: ପବଜି ଖେଳରୁ ଆରମ୍ଭ ହୋଇଥିଲା ସମ୍ପର୍କ । ହାଲୋ ହାଏ ପରେ ପ୍ରେମ ନିବେଦନ । ଦୀର୍ଘ ଏକ ବର୍ଷ ପରେ ଯୁବକଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ ଯୁବତୀ । ଆଉ ଏହାପରେ ଦେଖା ସାକ୍ଷାତ ଓ ବୁଲାବୁଲା ପରେ ନିବିଡ ହୋଇଥିବା ପ୍ରେମ ସମ୍ପର୍କ । ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଯୁବକ । କଥା ଦେଇଥିଲେ ଜୀବନସାରା ସାଥିରେ ରଖିବେ । କିନ୍ତୁ ବିବାହକୁ ମାସେ ନପୁରୁଣୁ ଯୁବତୀଙ୍କୁ ଆଉ ଧରା ଛୁଆଁ ଦେଉ ନାହାନ୍ତି ଯୁବକ । ଶେଷରେ ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛି ପ୍ରେମିକା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ । ସମ୍ପୃକ୍ତ ଯୁବକ ହେଉଛନ୍ତି ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ଓ ଯାଜପୁରର ରଶ୍ମିତାଙ୍କ ମଧ୍ୟରେ ପବଜି ଖେଳ ମାଧ୍ୟମରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ । ରଶ୍ମିତାଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ ଜ୍ୟୋତିଶ । ଏହାର ଗୋଟିଏ ବର୍ଷ ପରେ ଜ୍ୟୋତିଶଙ୍କ ନିବେଦନକୁ ଗ୍ରହଣ କରିଥିଲେ ରଶ୍ମିତା । ଏହାପରେ ଯାଜପୁର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା ।
ଧିରେ ଧିରେ ସମ୍ପର୍କ ନିବିଡ ହେବା ପରେ ଉଭୟ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହ ସୋସିଆଲ ମିଡିଆରେ ରିଲ୍ସ ମଧ୍ୟ କରୁଥିଲେ । ଏହାପରେ ସେମାନେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ 10 ଦିନ ତଳେ ପୁରୀ ଯାଇ ରଶ୍ମିତାଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲେ ଜ୍ୟୋତିଶ ରଞ୍ଜନ । କଥା ଦେଇଥିଲେ କେବେ ଏକା କରି ଛାଡି ଚାଲିଯିବେ ନାହିଁ । ଏହାପରେ ଉଭୟ ହୋଟେଲରେ ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଏବେ ଆଉ ରଶ୍ମିତାଙ୍କୁ ଧରା ଛୁଆଁ ଦେଉନାହାନ୍ତି ଜ୍ୟୋତିଶ ।
ରଶ୍ମିତାଙ୍କ ଫୋନ ନଉଠାଇବାରୁ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ପ୍ରେମିକର ଘର ଆଗରେ ବସିଛନ୍ତି ପ୍ରେମିକା । ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ ମନା କରିବା ସହ ଘର ଆଗରୁ ପଳାଇବାକୁ କହିଛନ୍ତି । ଅନ୍ୟପଟେ ବିବାହ ନହେବା ପର୍ଯ୍ୟନ୍ତ ପ୍ରେମିକ ଘର ସାମ୍ନାରୁ ଉଠିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି ପ୍ରେମିକା ରଶ୍ମିତା । ଖବର ପାଇ ଘଟଣାସ୍ଥଳରେ ନିକିରାଇ ଥାନା ପୋଲିସ ପହଞ୍ଚି ରଶ୍ମିତାକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା