କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ବୁଲିଲେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସରଦ ଅରବିନ୍ଦ ବୋବଡେ । ଡଙ୍ଗାରେ ବୁଲିବୁଲି ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଛନ୍ତି ବୋବଡେ । ଗତକାଲି (ଶନିବାର)ପୂର୍ବାହ୍ନ ସମୟରେ ରାଜନଗର ଡାଙ୍ଗମାଳରେ ପହଞ୍ଚିବା ପରେ ସେଠାରୁ ଦୁଇଟି ସରକାରୀ ଡଙ୍ଗାରେ ଭିତରକନିକା ବୁଲିବା ପାଇଁ ବାହାରିଥିଲେ ।
![Sharad Arvind Bobde visited bhitarkanika](https://etvbharatimages.akamaized.net/etvbharat/prod-images/od-kpr-02-formercjivisitedbhitarakanika-rajnagar-7204459_28012023221616_2801f_1674924376_919.jpg)
ପ୍ରଥମେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ପୁରାତନ ମନ୍ଦିରଗୁଡିକୁ ଚାଲିଚାଲି ଯାଇ ଦର୍ଶନ କରିବା ପରେ ଶିକାର କୋଠିକୁ ଯାଇ ରାଜା ରାଜୁଡ଼ା ଅମଳର ଶିକାର ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ । ପରେ ମହିଷାମଡା ଭିତରକୁ ଯାଇ ବିଭିନ୍ନ କୁମ୍ଭୀରଙ୍କ ରକ୍ଷଣାବେକ୍ଷଣ ବିଷୟରେ ବୁଝିବା ସହ ସେମାନଙ୍କ ଜୀବନଶୈଳୀ ଦେଖିଥିଲେ । ଏହାପରେ ବିଦେଶୀ ପକ୍ଷୀଙ୍କ କଳରବରେ ବିମୋହିତ ହୋଇ ଭାରତ ବର୍ଷରେ ଏଭଳି ସ୍ଥାନ ବିରଳ ବୋଲି ପ୍ରକାଶ କରିଥିଲେ ।
![Sharad Arvind Bobde visited bhitarkanika](https://etvbharatimages.akamaized.net/etvbharat/prod-images/od-kpr-02-formercjivisitedbhitarakanika-rajnagar-7204459_28012023221616_2801f_1674924376_68.jpg)
ଏଥିସହ ସାମୁଦ୍ରିକ ଲୁଣା ଜଙ୍ଗଲ କିପରି ପ୍ରାକୃତିକ ଦୁର୍ବିପାକ ସମୟରେ ଉପକୂଳ ଅଞ୍ଚଳର ସୁରକ୍ଷା କବଚ ସାଜିଛି ସେ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ । ନୂତନ ଲୁଣା ଜଙ୍ଗଲ(ହେନ୍ତାଳ ଜଙ୍ଗଲ) ସୃଷ୍ଟି ଉପରେ ଅଧିକ ପଦକ୍ଷେପ ଜରୁରୀ ବୋଲି ଉପସ୍ଥିତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇଥିଲେ । ପରେ ଭିତରକନିକା ମଧ୍ୟରେ ଥିବା ବୋଟ ଲାଇବ୍ରେରୀରେ ରଖାଯାଇଥିବା ବିଭିନ୍ନ ପ୍ରକାର ଔଷଧୀୟ ଓ ଗୁଳ୍ମ ଜାତୀୟ ଉଦ୍ଭିଦ ସମ୍ପର୍କରେ ଦେଖିବା ସହ ଏଠାରେ ଫଟୋ ଉଠାଇଥିଲେ ।
![Sharad Arvind Bobde visited bhitarkanika](https://etvbharatimages.akamaized.net/etvbharat/prod-images/od-kpr-02-formercjivisitedbhitarakanika-rajnagar-7204459_28012023221616_2801f_1674924376_866.jpg)
ବିଶେଷକରି ଧଳା ବଉଳା କୁମ୍ଭୀର "ଗୋରୀ" ଓ "ମଲ୍ଲୀ"ର ଜୀବନଚର୍ଯ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି । ଏହି ଗସ୍ତ ସମୟରେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ସହ ଓଡିଶା ଲୋକାୟୁକ୍ତଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଦକର, ରାଜନଗର ତହସିଲଦାର ଓ ରାଜନଗର ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସରହଦ ଅରବିନ୍ଦ ବୋବଡେ ଓ ଅନ୍ୟ ସାଥି ମାନେ ଭୁବନେଶ୍ୱର ଫେରିଥିଲେ। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନବିଭାଗ କର୍ମଚାରୀ ସୁନୀଲ ରାଉତରାୟ। ଅବସରପ୍ରାପ୍ତ ଜଷ୍ଟିସ ବୋବଡେ ଅଯୋଧ୍ଯା ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଶୁଣାଇ ଚର୍ଚ୍ଚାରେ ଥିଲେ।
![Sharad Arvind Bobde visited bhitarkanika](https://etvbharatimages.akamaized.net/etvbharat/prod-images/od-kpr-02-formercjivisitedbhitarakanika-rajnagar-7204459_28012023221616_2801f_1674924376_114.jpg)
2021 ଏପ୍ରିଲ ମାସରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ ଏସଏ ବୋବଡେ । ବିଚାରପତି ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ସନ୍ତୁଷ୍ଟ ଥିବା କହିଥିଲେ । ବୋବଡେ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ ରାୟ ଶୁଣାଇଥିଲେ । 2019 ମସିହା ନଭେମ୍ବରରେ ସେ ସୁପ୍ରିମକୋର୍ଟର 47ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।
![Sharad Arvind Bobde visited bhitarkanika](https://etvbharatimages.akamaized.net/etvbharat/prod-images/od-kpr-02-formercjivisitedbhitarakanika-rajnagar-7204459_28012023221616_2801f_1674924376_530.jpg)
ଇଟିଭି ଭାରତ, କେନ୍ଦ୍ରାପଡା