କେନ୍ଦ୍ରାପଡ଼ା: ମଝି ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ବୁଡ଼ିଗଲା ଟ୍ରଲର । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେବି ନିଖୋଜ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟ୍ରଲର ବୁଡ଼ିଯିବା ପରେ ଏକ ପ୍ଲାଷ୍ଟିକ୍ ଜାର୍ ସାହାଯ୍ୟରେ ୧୨ ଜଣ ମତ୍ସ୍ୟଜୀବୀ ୧୯ ଘଣ୍ଟାକାଳ ଭାସିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଗତ ଜୁନ୍ ୧୩ ତାରିଖରେ ସ୍ଥାନୀୟ ପଟ୍ଟାପାରିଆ ଗାଁର ୧୩ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ତାଳଚୁଆ ଘାଟରୁ ସମୁଦ୍ର ମଝିକୁ ଯାଇଥିଲେ । ପ୍ରତିକୂଳ ପାଗ ଯୋଗୁଁ ଗତକାଲି(ଗୁରୁବାର) ଅପରାହ୍ଣ ୨ଟା ବେଳେ ଟ୍ରଲରଟି ଓଲଟି ପଡ଼ିଥିଲା । ଫଳରେ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ୧୨ ଜଣ ମତ୍ସ୍ୟଜୀବୀ ଟ୍ରଲରରେ ଥିବା ଏକ ପ୍ଲାଷ୍ଟିକ୍ ଜାର୍କୁ ଧରି ସମୁଦ୍ରରେ ଭାସିଥିଲେ ।
ଏହି ଖବର ଜଣା ପଡ଼ିବାରେ ମତ୍ସ୍ୟଜୀବୀଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ ଟ୍ରଲର ମାଲିକ । ଘଟଣା ସମ୍ପର୍କରେ ତାଳଚୁଆ ପୋଲିସ ମେରାଇନ ଥାନାକୁ ଜଣାଇବା ପରେ କୋଷ୍ଟଗାର୍ଡ ଓ ହ୍ବିଲର ଆଇଲ୍ୟାଣ୍ଡ ସହ ଯୋଗାଯୋଗ କରିଥିଲେ । ଧାମରା ମେରାଇନ୍ ପୋଲିସ ଓ ତାଳଚୁଆ ମେରାଇନ ପୋଲିସ ମିଳିତ ଭାବରେ ୧୨ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ଏବେବି ନିଖୋଜ ରହିଛନ୍ତି । ନିଖୋଜ ମତ୍ସ୍ୟଜୀବୀ ରାଧାନାଥ ଭୂୟାଁ ବୋଲି ଜଣାପଡ଼ିଛି ।
ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ପାରାଦ୍ବୀପ କୋଷ୍ଟଗାର୍ଡ ସହଯୋଗ ଲୋଡିଥିବା କହିଛନ୍ତି ତାଳଚୁଆ ମେରାଇନ ଥାନା ପୋଲିସ । ସେପଟେ ଉଦ୍ଧାର ହୋଇଥିବା ଦୁଇଜଣ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।