କେନ୍ଦ୍ରାପଡା: ଦୋଳ ମେଳଣ ସମୟରେ ବଡ ଅଘଟଣ । ମେଳଣ ଚାଲିଥିବା ବେଳେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଦୁଇ ବଖରା ଘର । ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହରିଅଙ୍କ ଅଞ୍ଚଳରେ ଚାଲିଥିବା ମେଳଣରେ ଏହି ଅଘଟଣ ଘଟିଛି । ମେଳଣ ପଡିଆରେ କିଛି ଦୋକାନୀ ବିଦ୍ୟୁତ ଖଣ୍ଟରୁ ହୁକ ପକାଇ କରେଣ୍ଟ ନେଇଥିଲେ । ଯେଉଁ କାରଣରୁ ଓଭରଲୋଡ୍ ସହି ନପାରି ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁରେ ଦୁଇଟି ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ବେଳେ ଏହି ଦୁର୍ଘଟଣାରୁ ଭକ୍ତ ଓ ଦର୍ଶକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଅବସରରେ ହରିଅଙ୍କ ମେଳଣ ପଡ଼ିଆରେ ଅନ୍ୟୁନ ୫୦ରୁ ଊର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିମାନ ପହଞ୍ଚିବାର ବିଧି ରହିଥିଲା । ମେଳଣ ପାଇଁ ଏହି ପଡ଼ିଆରେ ଅସ୍ଥାୟୀ ଦୋକାନ ବଜାର ପଡିଥିଲା । ଏହି ସମୟରେ ଗୋଟିଏ ବିଦ୍ୟୁତ ଖୁଣ୍ଟିରୁ ପାଖାପାଖି ୨୫ ଜଣ ଦୋକାନୀ ଅସ୍ଥାୟୀ ଭାବେ ହୁକ ପକାଇ ବିଦ୍ୟୁତ ନେଇଥିଲେ । ଏହି ହୁକ ପକାଇବା ପାଇଁ ନା ଏମାନେ ବିଦ୍ୟୁତ ବିଭାଗର ଅନୁମତି ନେଇ ନଥିଲେ କିମ୍ବା କୌଣସି ରସିଦ କାଟିଥିଲେ । କେବଳ ବିଦ୍ୟୁତ ବିଭାଗର କିଛି ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏମାନେ ବିଦ୍ୟୁତ ଚୋରି କରି ବ୍ୟବସାୟ କରିବାରେ ବ୍ୟସ୍ତ ଥିଲେ ।
ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା କାରଣରୁ ଛୋଟ ଟ୍ରାନ୍ସଫର୍ମରଟି ଓଭରଲୋଡ଼ ସହ୍ୟ କରିନପାରି ସର୍ଟସର୍କିଟ ହୋଇଯାଇଥିଲା । ଏହି ସର୍ଟସର୍କିଟ ଯୋଗୁଁ ହରିଅଙ୍କ ଗ୍ରାମର ଧିର ଜେନାଙ୍କ ୨ ବଖରା ଘର ସହ ଗୁହାଳରେ ନିଆଁ ଲଗାଯାଇଥିଲା । ଆଖି ପିଛୁଳାକେ ହୁତୁହୁତୁ ଜଳି ଯାଇଥିଲା ଘର । ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ଓ କୋରୁଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଆକସ୍ମିକ ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି ।
ଗତବର୍ଷ ବାଲିଆ କାର୍ତ୍ତିକେୟ ପୂଜା ଭସାଣ ସମୟରେ ବାଣ ବିସ୍ଫୋରଣ ଜନିତ ଦୁର୍ଘଟଣା ମନରୁ ନ ଲିଭୁଣୁ ମେଳଣ ସମୟରେ ଏଭଳି ପୁଣି ଏକ ଦୁର୍ଘଟଣା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି । ତେବେ TPCODLର ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, କେନ୍ଦ୍ରାପଡା