କେନ୍ଦ୍ରାପଡା: ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁଚାହୁଁ ଜଳିଗଲା ୧୦ରୁ ଊର୍ଦ୍ଧ୍ବ ବଖରା ଚାଳ ଛପର ଘର ଏବଂ ବାସହରା ହେଲେ ୬ ପରିବାର । ଗତକାଲି(ଗୁରୁବାର) ରାତିରେ ନିଆଁ ଲାଗି ଘର ପୋଡି ପାଉଁଶ ହୋଇଯିବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ରହିଛି ।
ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମ(ସଂଖ୍ୟାଲଘୁ ବସ୍ତି)ରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି । ଏହି ଭୟାନକ ଅଗ୍ନିକାଣ୍ଡରେ 10 ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।
ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ସ୍ଥାନୀୟ ଲୋକଙ୍କ ଆୟତ୍ତର ବାହାରେ ରହିଥିଲା । ଗୋଟିଏ ପରେ ଗୋଟିଏ ଘରକୁ ମାଡିଯାଇଥିଲା ନିଆଁ । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ଆଳି ଦମକଳ ବାହିନୀ ଓ ପଟ୍ଟାମୁଣ୍ଡାଇ ଦମକଳ ବାହିନୀର ମିଳିତ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା । ବେସ କିଛି ସମୟର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଟଲିଉଡ ଜଗତରୁ ପୁଣି ଆସିଲା ଦୁଃଖ ଖବର, ଆଉ ନାହାନ୍ତି ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ କେ ବିଶ୍ବନାଥ
ତେବେ ଅଗ୍ନିକାଣ୍ଡରେ ଅନ୍ୟୁନ ୮ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସମେତ ୧୦୦ କ୍ୱିଣ୍ଟାଲ ଧାନ,୧୦ କ୍ୱିଣ୍ଟାଲ ଚାଉଳ, ଲକ୍ଷାଧିକ ଟଙ୍କାର ଆସବାବପତ୍ର, ସମସ୍ତ ଜମିଜମା କାଗଜପତ୍ର ଓ ଦରକାରୀ ଦସ୍ତାବିଜ ଜଳି ଯାଇଥିବା ସୂଚନା ମିଳିଛି । ଏହି ବସ୍ତିର ମିର୍ଜା ସମସେର ବେଗ, ମିର୍ଜା ଜସିମୁଦ୍ଦିନ ବେଗ, ମିର୍ଜା ହସିମୁଦ୍ଦିନ ବେଗ, ମିର୍ଜା ଆଝାରୁଦ୍ଦିନ ବେଗ, ମିର୍ଜା ବସିର ବେଗ ଓ ମିର୍ଜା ନସିମ ବେଗଙ୍କ ପରିବାର ରହି ଆସୁଥିଲେ ।
ତେବେ ଅଗ୍ନିକାଣ୍ଡ ପରେ ସେମାନେ ସର୍ବସ୍ବାନ୍ତ ହୋଇଯାଇଛନ୍ତି । ସର୍ଟ ସର୍କିଟରୁ ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିବା ପରେ ନିଆଁ ଆଖପାଖ ଘରକୁ ବ୍ୟାପି କ୍ଷତି ଘଟାଇଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ନିଆଁ ଆଁରେ ସର୍ବସ୍ବାନ୍ତ ହୋଇଥିବା ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା